ମେଲବୋର୍ଣ୍ଣ: ଆଜି ହାଇଭୋଲଟେଜ ଭାରତ-ପାକିସ୍ତାନ ମୁକାବିଲା। ଆଉ କିଛି ଘଣ୍ଟା ପରେ ଦୁଇ ପ୍ରତିଧ୍ଵନି ପରସ୍ପର କୁ ଭେଟିବେ । ମ୍ୟାଚକୁ ନେଇ ପଡିଆ ଭିତରେ ଯେତିକି ଉତ୍କଣ୍ଠା , ପଡିଆ ବାହାରେ ସେତିକି। ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଘମାସାନରେ କିଏ ମାରିବ ବାଜି…କିଏ ମାରିବ ଚିତପଟାଙ୍ଗ … ଏହାରି ଉପରେ ରହିବ ନଜର।
ଭାରତ ପାକିସ୍ତାନ ମ୍ୟାଚ୍ ସବୁ ବେଳେ ସମସ୍ତଙ୍କ ପାଇଁ ଉତ୍କଣ୍ଠାପୂର୍ଣ୍ଣ ରହିଛି। ଆଉ ଯଦି ବିଶ୍ଵ କପ୍ରେ ହୁଏ ଫାଇଟ୍ ତେବେ ତ ଜିଜାନ୍ ଲାଗିଯାଏ ।
ତେବେ ମ୍ୟାଚ୍ ପୂର୍ବରୁ ଆସନ୍ତୁ ନଜର ପକାଇବା ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ -ପାକିସ୍ତାନ ମଧ୍ୟରେ କେତେ ଥର ହୋଇଛି ଏନକାଉଣ୍ଟର ଆଉ କିଏ ମାରିଛି ବାଜି।
ସୁପ ସଣ୍ଡେରେ ସୁପର ଫାଇଟ୍ । କ୍ରିକେଟ, ୱାର୍ଲଡ କପ ଏବଂ ଭାରତ-ପାକିସ୍ତାନ ମ୍ୟାଚ। ରୋମାଞ୍ଚର ଟ୍ରିପଲ୍ ଡୋଜ୍ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପୁଣି ଥରେ ମୁହାଁ ମୁହିଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି। କିଏ କରିବ ବାଜିମାତ୍। ତାକୁ ହିଁ ଅପେକ୍ଷା। ତାକୁ ହିଁ ନେଇ ବଢୁଛି ଉତ୍କଣ୍ଠା। ତେବେ ଟି-ଟ୍ବେଣ୍ଟିଂରେ ଭାରତ-ପାକିସ୍ତାନ ଫାଇଟ୍ ବେଶ ପୁରୁଣା । ଏ ଦୁଇ ଟିମ୍ର ପରଫରମାନସକୁ ଦେଖିଲେ ଭାରତ ସପକ୍ଷରେ ଯାଇଛି ଇତିହାସ । ଏଯାଏ ଭାରତ -ପାକିସ୍ତାନ ଫଟାଫଟ ଫର୍ମାଟରେ ୬ ଥର ମୁହାଁମୁହିଁ ହୋଇଛନ୍ତି। ଆଉ ୫ ଥର ବାଜି ମାରିନେଇଛି ଭାରତ। ମାତ୍ର ଥରେ ପାକିସ୍ତାନ ବିଜୟର ସ୍ବାଦ ଚାଖିଛି।
୨୦୦୭ ଏହି ଫର୍ମାଟ୍ରେ ପ୍ରଥମ ବିଶ୍ଵ କପ୍ରେ ପରସ୍ପରକୁ ଭେଟିଥିଲେ ଭାରତ-ପାକିସ୍ତାନ । ଲିଗ୍ ରାଉଣ୍ଡରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୪୧ ରନ କରିଥିଲା। ପାକିସ୍ତାନ ଆଗରେ ଟାର୍ଗେଟ୍ ଥିଲା ୧୪୨ । ହେଲେ ପାକିସ୍ତାନ ନିର୍ଦ୍ଧାରିତ ଉଭରରେ ୧୪୧ ରନ କରିଥିଲା। ମ୍ୟାଚ ଟାଇ ରହିଥିଲା। ଆଉ ହୋଇଥିଲା ଟି-ଟ୍ବେଣ୍ଟିଂ ବିଶ୍ବକପ୍ ଇତିହାସର ପ୍ରଥମ ବୋଲ୍ ଆଉଟ୍ । ଏଥିରେ ପାକିସ୍ତାନକୁ ୩-୦ରେ ମାତ ଦେଇଥିଲା ଧୋନୀ ସେନା ।
ସେହି ବିଶ୍ଵ କପ୍ରେ ପୁଣିଥରେ ସାମ୍ନା ସାମ୍ନି ହୋଇଥିଲେ ଦୁଇ ଦଳ । ଆଉ ଏଥର ମ୍ୟାଚ ଥିଲା ଫାଇନାଲ । ରୋମାଞ୍ଚରେ ଭରିଯାଇଥିଲା ଏହି ମ୍ୟାଚ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ୱାଣ୍ଡେରର ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ୨୦ ଓଭରରେ ଭାରତ ୫ ୱିକେଟ ହରାଇ କରିଥିଲା ୧୫୭ ରନ୍ । ୧୫୮ ରନ ଟାର୍ଗେଟ୍କୁ ପିଛାକରି ପାକିସ୍ତାନ ୭୭ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା। ହେଲେ ପାକ୍ ଅଧିନାୟକ ମିସବା ଉଲ ହକ୍ ମ୍ୟାଚରେ ରୋମାଞ୍ଚ ଭରିଥିଲେ। ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା। ଶେଷ ଓଭରରେ ପାକିସ୍ତାନକୁ ଦରକାର ଥିଲା ୧୩ ରନ୍ । ମିସବା ଆଉଟ ହେବା ପରେ ପାକିସ୍ତାନ ରନ ଚେଜ ଅଟକି ଯାଇଥିଲା। ମ୍ୟାଚକୁ ୫ରନରେ ଜିତିଥିଲା ଭାରତ। ଆଉ ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ୱାର୍ଲଡ କପ ଜିତିଥିଲା ଭାରତ।
୨୦୧୨ ଟି-୨୦ ବିଶ୍ବକପରେ ତୃତୀୟ ଥର ଭାରତ -ପାକିସ୍ତାନ ହୋଇଥିଲା ଏନକାଉଣ୍ଟର। ଏଥର ବି ସେଇୟା ହୋଇଥିଲା ଯାହ ପୂର୍ବରୁ ହୋଇଥିଲା। ଭାରତକୁ ୧୨୯ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ। ବିରାଟ କୋହଲିଙ୍କ ୭୮ ରନ ବଳରେ ଭାରତ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।
୨୦୧୪ ଟି ଟ୍ବେଣ୍ଟି ବିଶ୍ବକପ୍ରେ ଚତୁର୍ଥ ଥର ଭାରତ ପାକିସ୍ତାନ ମଧ୍ୟରେ ହୋଇଥିଲା ଟକ୍କର । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୧୩୦ରନ୍ କରିଥିଲା। ଭାରତ ମାତ୍ର ୩ ୱିକେଟ୍ ହରାଇ ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲା ।
ସେହିପରି ପୁଣି ୨୦୧୬ ଟି ଟ୍ବେଣ୍ଟି ବିଶ୍ବକପରେ ପଞ୍ଚମ ଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଫାଇଟ। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ କରିଥିଲା ୧୧୮ ରନ୍। ୧୧୯ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪ ୱିକେଟ ହରାଇ ୬ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା।
ଆଉ ଗତ ବର୍ଷ ଦୁବାଇରେ ଖେଳାଯାଇଥିବା ଟି-ଟ୍ବେଣ୍ଟିଂ ୱାର୍ଲଡ୍ କପ୍ରେ ପୁଣି ପରସ୍ପରକୁ ଭେଟିଥିଲେ ଭାରତ-ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ କରିଥିଲା ୧୫୧ ରନ୍ । ହେଲେ ଏଥର କିନ୍ତୁ ପାକିସ୍ତାନ କିଛି ଅଲଗା ମୁଡରେ ଥିଲା । ପାକିସ୍ତାନ ବ୍ୟାଟସମ୍ୟାନ୍ କୌଣସି କ୍ଷତି ହେବାକୁ ନଦେଇ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ । ପୁରା ୧୦ ୱିକେଟରେ ଭାରତ ଠାରୁ ମ୍ୟାଚ୍ କାଢିନେଇଥିଲା ପାକିସ୍ତାନ । ଆଉ ଏହା ଥିଲା ବିଶ୍ବକପ୍ରେ ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଜୟ।





