ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ଆଗାମୀ ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୫୦୦ରୁ ଅଧିକ ପୁରୁଣା ଆଇନ ରଦ୍ଦ କରିବେ। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ‘ଦେଶର ଜନସାଧାରଣଙ୍କ ଜୀବନରେ ସରକାରୀ ହସ୍ତକ୍ଷେପକୁ କମ୍ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପ୍ରଚଳିତ ଆଇନ ଗୁଡିକ ସାଧାରଣ ଜନତାଙ୍କ ପାଇଁ ବୋଝ ସଦୃଶ । ବର୍ତ୍ତମାନ ସମୟରେ ସେହି ଆଇନଗୁଡିକ କୌଣସି ପ୍ରାସଙ୍ଗିକତା ରଖୁନାହିଁ । ଏପରିକି ଆଇନର ପରିସରଭୁକ୍ତ ହୋଇ ରହିବାର କୌଣସି ଯଥାର୍ଥତା ବି ନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ‘ଦେଶବାସୀଙ୍କ ଉପରେ ଆଇନର ଅନୁପାଳନ ବୋଝ କମ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକମାନେ ଯଥାସମ୍ଭବ କିଭଳି ଭାବେ ଶାନ୍ତିରେ ରହିବେ ସେ ନେଇ ସରକାର ସର୍ବଦା ତତ୍ପର । ତେଣୁ ୧୫ଶହରୁ ଅଧିକ ଅପ୍ରଚଳିତ ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଇନ ରହିଛି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନା କି ତାଙ୍କୁ ଅଯଥା ହଇରାଣ କରିବା ପାଇଁ’।
କିରନ ରିଜିଜୁ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବତ୍ତୋର ରାଜ୍ୟ ଗୁଡ଼ିକୁ ସମୃଦ୍ଧ ଏବଂ ଭାରତକୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ କରିବା ବିଜେପିର ଲକ୍ଷ୍ୟ । ୨୦୪୭ ସୁଦ୍ଧା ଭାରତକୁ ସମୃଦ୍ଧ ଏବଂ ପୂର୍ଣ୍ଣ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ବାନ ରହିଛି । ତେଣୁ ସେ ଦିଗରେ କାର୍ଯ୍ୟ କରିବା ଏବଂ ସଫଳ ହେବା ପାଇଁ ଆଇନର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।
