
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜ୍ଜୁ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଚିଠି ଲେଖି ନିଜ ରାଜ୍ୟରେ ଫାଷ୍ଟ ଟ୍ରାକ୍ କୋର୍ଟ ଓ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ପ୍ରତିଷ୍ଠା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଲ୍ଲେଖ କରିଛନ୍ତି। ମହିଳା, ଶିଶୁ ଓ ବରିଷ୍ଠ ନାଗରିକ ସମ୍ମୁଖୀନ ହେଉଥିବା ଜଘନ୍ୟ ଅପରାଧର ତୁରନ୍ତ ଫଇସଲା ନିମନ୍ତେ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଉପରେ ରିଜ୍ଜୁ ଗୁରୁତ୍ବାରୋପ କରିଛନ୍ତି। ପତ୍ରରେ ରିଜ୍ଜୁ ଦର୍ଶାଇଛନ୍ତି ୧୪ତମ ଅର୍ଥ କମିସନ ୧୮୦୦ଟି ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ପାଇଁ ସୁପାରିସ କରିଥିବା ବେଳେ ଗତ ଜୁଲାଇ ୩୧ ସୁଦ୍ଧା ମାତ୍ର ୮୯୬ଟି ଏପରି କୋର୍ଟ କାର୍ଯ୍ୟକ୍ଷମ ରହିଛି।
ସେହିପରି ବଳାତ୍କାର ଓ ପିଲାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ମାମଲାର ବିଚାର ପାଇଁ ୧୦୨୩ଟି ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲିବାକୁ ସୁପାରିସ ହୋଇଥିବା ବେଳେ ଜୁଲାଇ ୩୧ ସୁଦ୍ଧା ସେଥିମଧ୍ୟରୁ ୭୩୧ଟି କାର୍ଯ୍ୟକ୍ଷମ ଥିବା ରିଜ୍ଜୁ ଦର୍ଶାଇଛନ୍ତି। ଫାଷ୍ଟ ଟ୍ରାକ୍ କୋର୍ଟରେ ୩.୨୮ ଲକ୍ଷ ମାମଲା ବିଚାରାଧୀନ ଥିବା ସେ ଉଲ୍ଲେଖ କରିଛନ୍ତି। ଗତ ୨ରେ ରିଜିଜୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ବିଭିନ୍ନ ଅଦାଲତରେ ବହୁଳ ପରିମାଣର ମାମଲା ବିଚାରାଧୀନ ଥିବା ବେଳେ ୧୪ତମ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଯଥାଶୀଘ୍ର ଶେଷ କରାଯିବାର ଆବଶ୍ୟକତା ରହିଛି। ସେହିପରି ଫାଷ୍ଟ ଟ୍ରାକ୍ କୋର୍ଟଗୁଡ଼ିକରେ ମାମଲାର ଶୀଘ୍ର ଫଇସଲା ନିମନ୍ତେ ମୁଖ୍ୟ ବିଚାରପତିମାନେ ପଦକ୍ଷେପ ନେବାକୁ ରିଜ୍ଜୁ ଅନୁରୋଧ କରିଛନ୍ତି।