ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଲୋକର ପର୍ବ ଦୀପାବଳି, ଏହାକୁ ପାଳନ କରିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ପ୍ରବଳ ଉତ୍ସାହ। କରୋନା ମହାମାରୀ ବିଗତ ଦୁଇ ବର୍ଷ ଧରି ଦୀପାବଳି ପାଳନକୁ ଫିକା କରିଦେଇଥିଲା। କିନ୍ତୁ ଚଳିତ ବର୍ଷ ବିନା କଟକଣାରେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ବରେ ଦୀପାବଳି ପାଳନ ହୋଇଛି। ଆମେରିକା, କାନାଡ଼ା ସହ ଅନେକ ଦେଶରେ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆଉ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପାଳନ କରିଛନ୍ତି ଭାରତର ଏହି ଅନନ୍ୟ ପର୍ବ। ଜୋ ବାଇଡେନ୍ ହ୍ବାଇଟ୍ ହାଉସରେ ଦୀପ ଜଳାଇ ଭାରତୀୟଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସହ ଅନେକ ଭାରତବଂଶୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।
ହ୍ବାଇଟ ହାଉସ୍ରେ ସୋମବାର ରାତିରେ ଦୀପାବଳି ସମାରୋହର ଆୟୋଜନ କରାଯାଇଥିଲା। ଜୋ ବାଇଡେନ୍ ସରକାରଙ୍କ ଅନେକ ଭାରତୀୟ-ଆମେରିକୀୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ବାଇଡେନ୍ କହିଥିଲେ ଯେ, ଏହା ପ୍ରଥମ ଥର ଯେତେବେଳେ ଦୀପାବଳି ଅବସରରେ ହ୍ବାଇଟ୍ ହାଉସରେ ବଡ଼ ଆକାରରେ ଆୟୋଜନ ହୋଇଛି। ଆମ ସରକାରରେ ଗତ ସରକାରଙ୍କ ତୁଳନାରେ ସବୁଠୁ ଅଧିକ ଏସିଆନ-ଆମେରିକାନ୍ ସାମିଲ ଅଛନ୍ତି। ଏହା ସହ ଦୀପାବଳିର ଭବ୍ୟ ଆୟୋଜନକୁ ଆମେରିକା ସଂସ୍କୃତିର ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ବାଇଡେନ୍।
ଏହି ଅବସରରେ ଉପରାଷ୍ଟ୍ରପତି କମଲା ହାରିସ କହିଥିଲେ ଯେ, ହ୍ବାଇଟ ହାଉସ୍ ସାଧାରଣ ଲୋକଙ୍କ ଘର। ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଏହି ଘରର ମାହୋଲ ଏଭଳି କରିଛନ୍ତି ଯେ ଆମେରିକାର କେହି ବି ନାଗରିକ ନିଜର ସଂସ୍କୃତି ଏବଂ ପର୍ବ ଏଠାରେ ପାଳନ କରିପାରିବ ବୋଲି ସେ କହିଥିଲେ।





