ନୂଆଦିଲ୍ଲୀ : ଅଟା ଦର ପୁଣି ବଢିଲା । ୧୫ ପ୍ରତିଶତ ମହଙ୍ଗା ହୋଇଛି ଅଟା ଦର । କେବଳ ଅଟା ନୁହେଁ ଗହମରୁ ପ୍ରସ୍ତୁତ ହେଉଥିବା ମଇଦା, ସୁଜି ଓ ଦଲିଆ ମଧ୍ୟ ମହଙ୍ଗା ହୋଇଛି। ଅଟା କେଜି ପିଛା ୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ମଇଦା, ସୁଜି ଓ ଦଲିଆ ଦରରେ କେଜି ପିଛା ୩ରୁ ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ସେପଟେ ସରକାର ଖୋଲା ବଜାରକୁ ଗହମ ଯୋଗାଣ ବନ୍ଦ କରିଦେଇଛନ୍ତି। ଏଣୁ ବ୍ୟବସାୟୀଙ୍କୁ ମହଙ୍ଗା ଦରରେ ଗହମ କ୍ରୟ କରିବାକୁ ପଡୁଥିବାରୁ ଏପରି ମୂଲ୍ୟ ବୃଦ୍ଧି ହୋଇଛି। ଚଳିତବର୍ଷ ହୋଲି ପରଠାରୁ ବଜାରରେ ଅଟା ମହଙ୍ଗା ହେଲାଣି। କଥା ହେଉଛି ଦେଶରେ ଗହମ ଅମଳ ପୂର୍ବରୁ ହିଁ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଣୁ କେବଳ ଭାରତ ନୁହେଁ ସାରା ବିଶ୍ୱ ବଜାରରେ ଗହମ ଦର ବଢିବାରେ ଲାଗିଥିଲା। ଏଣୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ପଡିଥିଲା।

ଏହା ଛଡା ଚଳିତବର୍ଷ ଚାଷୀ ଏମଏସପିଠାରୁ ଢେର ଉଚ୍ଚା ଦରରରେ ସେମାନଙ୍କ ଗହମ ବିକ୍ରି କରିଥିଲେ। ଏଣୁ ଅଟା ସେତେବେଳଠାରୁ ଅଧିକ ୫ ଟଙ୍କା ବଢିକରି ରହିଛି। ଏହା ଛଡା ସରକାର ନନବ୍ରାଣ୍ଡେଡ ଅଟା ଓ ମଇଦାକୁ ମଧ୍ୟ ଜିଏସଟି ଅନ୍ତର୍ଗତ କରିଥିଲେ। ତେବେ ଏଥିରେ କେବଳ ଏତିକି ରିହାତି ଥିଲା ୨୫ କେଜିରୁ ଅଧିକ ପ୍ୟାକେଟ୍‌ ଉପରେ ଜିଏସଟି ଲାଗିବ ନାହିଁ। ଏଣୁ ଖୋଲା ବଜାରକୁ ଆସୁଥିବା ଗହମ ପ୍ୟାକେଟ୍ ୫୦ କେଜିର ହୋଇଥିବା ଯୋଗୁ ଜିଏସଟିରୁ ବର୍ତ୍ତି ଯାଇଥିଲା। ହେଲେବି ବ୍ୟବସାୟୀମାନେ ସେତେବେଳେ ପ୍ରତି କେଜି ଅଟା ୨ ଟଙ୍କା ମହଙ୍ଗା କରିଦେଇଥିଲେ।

ଗତ ସପ୍ତାହରେ ସରକାର ଜାରି ବର୍ଷ ନିମନ୍ତେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରତି କ୍ୱିଣ୍ଟଲ ୧୧୦ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଜାରରେ ପୂର୍ବରୁ ଏହି ମୂଲ୍ୟରୁ ଅଧିକ ଦରରେ ଗହମ ବିକ୍ରି ହେଉଛି। ତଥାପି ବ୍ୟବସାୟୀମାନେ ଅଟା କେଜିପିଛା ଦରରେ ୫ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ବଜାରରେ ଏବେ ମିଳୁଥିବା ଖୋଲା ଅଟା କେଜି ପିଛା ଦର ୩୦ରୁ ୩୫ ଟଙ୍କାକୁ ପହଞ୍ଚିଥିବା ବେଳେ ୩୨ ଟଙ୍କା ଦରରେ ବିକ୍ରି ହେଉଥିବା ମଇଦା କେଜି ପିଛା ଦର ଏବେ ୩୫ ଟଙ୍କା ହୋଇଯାଇଛି। ଫଳରେ ସୁଜି କେଜି ପିଛା ଦର ୩ରୁ ୫ ଟଙ୍କା ମହଙ୍ଗା ହୋଇଯାଇଛି।