ଧାମନଗର ଉପନିର୍ବାଚନରେ ଅନିୟମିତତା ଅଭିଯୋଗ; ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବଣ୍ଟାଯାଉଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ବୁଧବାର ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ଓ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ନୂଆଦିଲ୍ଲୀ ଠାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ନିୟମ ଉଲ୍ଲଘଂନ କରୁଥିବା କର୍ମଚାରୀ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମାନଙ୍କୁ ଅଭୟ ବାଣୀ ଦେଉଛନ୍ତି । ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଟଙ୍କା ବଣ୍ଟାଯିବା ନେଇ ବିଜେପି ତରଫରୁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାରମ୍ବାର ପ୍ରମାଣ ଦେବା ପରେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ କଳର ବ୍ୟାପକ ଦୁରୂପଯୋଗ ପରିଲକ୍ଷିତ ହୋଇଛି । ବିଶେଷ ଭାବରେ ଜିଲ୍ଲାପାଳଙ୍କ ପରୋକ୍ଷ ନିୟନ୍ତ୍ରଣରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତରାଜ ବିଭାଗ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଗୁଡ଼ିକ ରାଜ୍ୟ ସରକାରଙ୍କ ହାତବାରିସି ସାଜିଛନ୍ତି ।

ଧାମନଗର ଉପନିର୍ବାଚନ ଜିତିବା ପାଇଁ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଦୁଇଟି ସମ୍ବେଦନଶୀଳ ଭିଡ଼ିଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଭିଡ଼ିଓ ଆଧାରରେ ବିଜେପି ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଜନୈକ ମହିଳା ପଇସା ବାଣ୍ଟିବା ନେଇ ମଧ୍ୟ ବିଜେପି ପ୍ରମାଣ ଦେଇଥିଲା । ଏହାସହ ଆଉ ଏକ ସଭା ସମିତିରେ ଶାସକ ଦଳର ନେତାମାନେ ସବୁ ସୀମାର ଉଲ୍ଲଂଘନ କରି ପଞ୍ଚାୟତକୁ 1 କୋଟି ଟଙ୍କାର ପ୍ରଲୋଭନ ଦେଖାଇଥିଲେ । ଏହା ସତ୍ତ୍ୱେ ଅଭିଯୋଗର ସତ୍ୟାସତ୍ୟାକୁ ନେଇ ନିର୍ବାଚନ ଅଧିକାରୀମାନେ ପ୍ରଶ୍ନ କରିଥିଲେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆକ୍ରୋଶମୂଳକ ଭାବେ ଗଣମାଧ୍ୟମରେ ପ୍ରସାରିତ ଟଙ୍କା ବଣ୍ଟାଯିବା ଭିଡିଓ ପ୍ରମାଣର ସତ୍ୟତା ନଥିବା କଥା କହୁଛନ୍ତି । ଫୋରେନସିକ୍ ପ୍ରମାଣ ନାଁରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଛି । ଏହାର ଅର୍ଥ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ମାନଙ୍କୁ ପରୋକ୍ଷରେ ଅଭୟ ବାଣୀ ଦେଉଛନ୍ତି । ତାଙ୍କର ମନ୍ତବ୍ୟ ଦୁର୍ନୀତି ଓ ପଇସା ବଣ୍ଟାରେ ଲିପ୍ତ ଶାସକ ଦଳର କର୍ମୀଙ୍କୁ ଆହୁରି ଦୁର୍ନୀତି ଓ ଟଙ୍କା ବାଣ୍ଟିବା ପାଇଁ ପ୍ରବର୍ତ୍ତାଉଛି । ଗଣତନ୍ତ୍ରରେ ରକ୍ଷକ ଆଜି ଭକ୍ଷକ ସାଜିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପଞ୍ଚାୟତ ବିଭାଗର ସଚିବ ଅଛନ୍ତି । ଏଠାରେ କନଫିଲଫକ୍ଟ୍ ଅଫ୍ ଇନଟ୍ରେଷ୍ଟ କଥା ଆସୁଛି । ତେଣୁ ସେ କିପରି ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

Related Posts