ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ।
ପର୍ଯ୍ୟଟକମାନେ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିପାରିବେ । ପିଠାବଟା ଫାଟକ ଦେଇ ପ୍ରତିଦିନ ୨୫ଟି ଗାଡ଼ି ଓ କାଳିଆଣି ଦେଇ ୩୫ଟି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଅଭୟାରଣ୍ୟରେ ଥିବା ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନଙ୍କୁ ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ବୁକିଙ୍ଗ କରିବାକୁ ପଡ଼ିବ। ସେହିପରି ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ୍ ନେବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗାଇଡ୍ ନେବାକୁ ବ୍ୟବସ୍ଥା ହୋଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ବର୍ଷାଋତୁରେ ରାସ୍ତା ଖରାପ୍ ହୋଇ ଯାଉଥିବା ଯୋଗୁଁ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ଅନୁମତିକୁ ବନ୍ଦ ରଖା ଯାଇଥାଏ।
