ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ସକାଳ ୬ ରୁ ୯ଟା ମଧ୍ୟରେ ଗାଡ଼ି ପ୍ରବେଶ ପାଇଁ ଅନୁମତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜି ସକାଳ ୬ଟାରୁ ଖୋଲିଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସ୍ବାଗତ କରାଯାଇଛି। ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିଛନ୍ତି। ୩୫ଟି ଚାରିଚକିଆ ଯାନ କାଳିଆଣି ଯାଞ୍ଚ ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବାଟା ଯାଞ୍ଚ ଫାଟକ ଦେଇ ଭିତରକୁ ଯାଇପାରିବ।

ରାତ୍ରିଯାପନ ପାଇଁ ପର୍ଯ୍ୟଟକଙ୍କୁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିଛି। ଗୋଟିଏ ଦିନରେ ପ୍ରଥମେ ଆସିଥିବା ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବାଟା ତନଖି ଫାଟକ ଦେଇ ଭିତରକୁ ଯାଇପାରିବ। ପର୍ଯ୍ୟଟକମାନେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ରୁ ୯ଟା ମଧ୍ୟରେ ଅନୁମତିପତ୍ର ସଂଗ୍ରହ କରିବାକୁ କୁହାଯାଇଛି। ଯାଞ୍ଚ ଫାଟକରେ ଯାଞ୍ଚ୍‌ କଡ଼ାକଡ଼ି କରାଯିବ ବୋଲି ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି. ଆଶୋକ କୁମାର କହିଛନ୍ତି।

ଭିତରକୁ ପଲିଥିନ, ରନ୍ଧାଖାଦ୍ୟ, ମାଦକ ଦ୍ରବ୍ୟ ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡ଼ିବ। ଯାନବାହାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସ୍‌ଷ୍ଟାଣ୍ଡକୁ ପଠାଇବାର ସୁବିଧା ରହିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କୁ ୪ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ।

ସେହିପରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଅବସ୍ଥିତ ଦେବକୁଣ୍ଡକୁ ମଧ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଆଜିଠାରୁ ଖୋଲାଯାଇଛି। ଦେବକୁଣ୍ଡକୁ ଯିବା ପାଇଁ ପ୍ରଥମ ଫାଟକରୁ ଅନୁମତିପତ୍ର ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ସବୁ ନିୟମ ମାନି ଶିମିଳିପାଳ ବୁଲି ଉପଭୋଗ କରିବାକୁ କୁହାଯାଇଛି। ଯଦି କେହି ନିୟମ ଅମାନ୍ୟ କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି।

Related Posts