ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏୟାରଏସିଆ ବିମାନ ଚଳାଚଳ ସଂସ୍ଥା ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ପୂର୍ବକ, ଏହାର ସମସ୍ତ ଅଂଶ ବିକ୍ରି କରିଦେଇଥିବା କହିଛି । ପୂର୍ବରୁ ଟାଟା ଗ୍ରୁପ୍ ଏୟାରଏସିଆ (ଇଣ୍ଡିଆ)ର କିଛି ଅଂଶ କିଣିଥିଲା । କିନ୍ତୁ ଏବେ କମ୍ପାନୀର ବାକି ଅଂଶ ମଧ୍ୟ ଟାଟା ଗ୍ରୁପ୍ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ମାଲିକାନାକୁ ଚାଲିଯାଇଛି । ଏ ନେଇ ବୁଧବାର ସୂଚନା ଦେଇଛି ଏୟାରଏସିଆ ଆଭିଏସନ୍ ଗ୍ରୁପ୍ ।
ପୂର୍ବରୁ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ, ଏୟାରଏସିଆର ୮୩.୬୭ ପ୍ରତିଶତ ସେୟାର କିଣିଥିଲା । ଏ ନେଇ ୨୦୨୦ ଡିସେମ୍ବର ୨୯ ଏବଂ ୨୦୨୧ ଜାନୁଆରୀ ୫, ଦୁଇଟି ପର୍ଯ୍ୟାୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ତେବେ ବାକିଥିବା ୧୬.୩୩ ପ୍ରତିଶତ ସେୟାର ବୁଧବାର ଏୟାର ଇଣ୍ଡିଆ ମାଲିକାନାକୁ ଯାଇଛି ।
ତେବେ ଏ ନେଇ ଏୟାରଏସିଆ ବିମାନ ଚଳାଚଳ ସିଇଓ ବୋ ଲିଙ୍ଗମ୍ କହିଛନ୍ତି ଯେ, ‘୨୦୧୪ ମସିହା ଠାରୁ ଭାରତରେ ନିରବଚ୍ଛିନ ଭାବେ ସେବା ଯୋଗାଉଥିଲା ସଂସ୍ଥା । ବ୍ୟବସାୟିକ କ୍ଷେତ୍ରରେ ଅହେତୁକ ସଫଳତା ମଧ୍ୟ ପାଇଥିଲା । ମାତ୍ର କିଛି ବର୍ଷ ମଧ୍ୟରେ ବିଶ୍ବର ଅଗ୍ରଣୀ ବିମାନ ଚଳାଚଳ ସଂସ୍ଥା ମଧ୍ୟ ହୋଇପାରିଥିଲା । ଟାଟା ଗ୍ରୁପ୍ ସହିତ ବ୍ୟବସାୟିକ କାରବାର ସ୍ମରଣୀୟ ହୋଇ ରହିବ । ଏହା ଶେଷ ନୁହେଁ ବରଂ ଅୟଂଆରମ୍ଭ’।





