ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରତିଟି ପରିବାର ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ଏବଂ ପରିବାରରେ ମହିଳା ଯେପରି ସମ୍ମାନ ପାଇପାରିବ ସେଥିପାଇଁ ମହିଳା କମିଶନ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମିନତୀ ବେହେରା। ପୁରୀର ସଦଭାବନା ସଭାଗୃହ ଠାରେ ମହିଳା ଆୟୋଗ ପକ୍ଷରୁ ଆଜି ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅଧ୍ୟକ୍ଷତା କରି ଆୟୋଗ ଶ୍ରୀମତୀ ବେହେରା ଜିଲ୍ଲାମାନଙ୍କରେ ଶିବିର ଆୟୋଜନ ଦ୍ଵାରା ପୀଡିତାର ସମୟ ଓ ଖର୍ଚ୍ଚ ଅପଚୟକୁ ରୋକା ଯାଇପାରୁଛି ବୋଲି କହିଛନ୍ତି। ଆଇନ ଓ ଅଧିକାର ରହିଥିଲେ ମଧ୍ୟ ଅନେକ ସମୟରେ ସଚେତନତା ଅଭାବରୁ ପୀଡ଼ିତା ସେଥିରୁ ବଞ୍ଚିତ ହୁଏ। ସେହିପରି ପାରସ୍ପରିକ ବୁଝାମଣା ଅଭାବରୁ ମଧ୍ୟ ପରିବାର ଭାଙ୍ଗି ଥାଏ।ଆୟୋଗର ମୁଖ୍ୟ ଲକ୍ଷ୍ୟ ଘର ସଜାଡିବା ଓ ପରସ୍ପର ର ବିଶ୍ୱାସ କୁ ମଜବୁତ କରିବା ବୋଲି ସେ କହିଛନ୍ତି।

ଏହି ଅଦାଲତରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ପାରିବାରିକ ସଂହତି ଓ ସଦଭାବନା ଫେରେଇ ଆଣିବା କ୍ଷେତ୍ରରେ ମହିଳା ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ବିବାଦର ଆପୋଷ ଆଲୋଚନା ଓ ସମାଧାନ ପାଇଁ ଏହି ଭଳି ଶିବିରର ଆୟୋଜନ ପ୍ରଶଂସନୀୟ ବୋଲି ସେ କହିଥିଲେ। ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା ଏହି ଭଳି ଶିବିର ଜିଲ୍ଲା ସ୍ତରରେ ଆୟୋଜନ ଅର୍ଥ ନ୍ୟାୟ ଆପଣଙ୍କ ପାଖକୁ ଆସିଛି । ତେଣୁ ପୁରୁଷ ବା ମହିଳା ଏହାର ସୁବିଧା ନେଇ ବିବାଦ ର ସମାଧାନ ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ସ୍ନେହାଞଳି ମହାନ୍ତି, ସ୍ୱର୍ଣ୍ଣ ଲତା ସାମଲ,ଜଲିନା ପ୍ରିୟଦର୍ଶିନୀ, ରେଜିଷ୍ଟାର ସୁଶୀଲ ରାୟ ,ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ , ପରାମର୍ଶ ଦାତା ଡ଼ଃ ଏନ ଟୁନା ସାହୁ,ପୋଲିସ ଡିଏସପି ଅଶ୍ମୀତା ପରମିତା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତ ଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଓ ସମାଜ କଲ୍ୟାଣ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ଆଜିର ଏହି ଅଦାଲତ ଶିବିରରେ ମୋଟ ୬୭ ମାମଲା ମଧ୍ୟ ରୁ ୪୬ ଟି ମାମଲାରେ ପକ୍ଷ ଉପସ୍ଥିତ ଥିଲେ। ୨୦ ଟିର ସମାଧାନ ହୋଇଥିବା ବେଳେ ୧୭ ଟି ମାମଲା ରେ ପୁନଃ ନୋଟିସ ଓ ୯ ଟି ମାମଲା କୁ ସମାଧାନ ପାଇଁ ଜିଲ୍ଲା ପ୍ରୋଟେକ୍ସନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।