ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରୁ ୯୦୦୦ କୋଟି ଟଙ୍କାର ଠକେଇ କରି ଇଂଲଣ୍ଡରେ ଆତ୍ମଗୋପନ କରିଥିବା ପଳାତକ ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କୁ ଭାରତ ଆଣିବାର ପକ୍ରିୟା ଲମ୍ବା ହେବାରେ ଲାଗିଛି। ଦୁଇ ବର୍ଷ ପୂର୍ବରୁ ପ୍ରତ୍ୟର୍ପଣ ପକ୍ରିୟା ଆରମ୍ଭ କରି ଦିଆଯାଇଥିଲା, କିନ୍ତୁ ଏହାପରେ ବି ଏହି ମାମଲା ଏବେ କୋର୍ଟରେ ଝୁଲି ରହିଛି। ଏହା ଭିତରେ ସୁପ୍ରିମକୋର୍ଟରେ ମଧ୍ୟ ବିଜୟ ମାଲ୍ୟାଙ୍କୁ ନେଇ ଏକ ମାମଲାର ଶୁଣାଣି ଚାଲିଛି।

ହେଲେ ଏବେ ମାଲ୍ୟାଙ୍କର ଓକିଲ ଏହି କେସ୍ ଲଢିବାକୁ ମନା କରିଦେଇଛନ୍ତି। ତାଙ୍କ ଓକିଲ କହିଛନ୍ତି ଯେ, ମାଲ୍ୟଙ୍କର କେଉଁଠି କିଛି ଖୋଜ୍ ଖବର ନାହିଁ, ତାଙ୍କ ସହିତ କୌଣସି ଯୋଗାଯୋଗ ମଧ୍ୟ ହୋଇ ପାରୁନି। ଏଭଳି ପରିସ୍ଥିତିରେ ତାଙ୍କର କେସ୍ ଲଢି ହେବନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏସବିଆଇ ସହିତ ବିଜୟ ମାଲ୍ୟାଙ୍କର କିଛି ବିବାଦ ଚାଲିଛି। ସେହି ମାମଲାରେ ଆଇନଜୀବି ଇସି ଅଗ୍ରଓ୍ବାଲ ତାଙ୍କର ଓକିଲ ଅଛନ୍ତି। ହେଲେ ନିକଟରେ ମାମଲାର ଶୁଣାଣି ବେଳେ ଇସି ଅଗ୍ରଓ୍ବାଲ ମାଲ୍ୟାଙ୍କ କେସ୍ ଲଢିବାକୁ ମନା କରିଦେଇଥିଲେ। ସେ ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠରେ କହିଥିଲେ, ମୁଁ ଯେତିକି ଜାଣିଛି ତା ଅନୁସାରେ ମାଲ୍ୟା ବ୍ରିଟେନ୍‌ରେ ଅଛନ୍ତି। ହେଲେ ସେ ମୋ ସହିତ କୌଣସି ପ୍ରକାର କଥା ହେଉନାହାନ୍ତି କିମ୍ବା କୌଣସି ଯୋଗାଯୋଗ ରଖୁ ନାହାନ୍ତି। ମୋ ପାଖରେ କେବଳ ତାଙ୍କର ଇମେଲ ଆଡ୍ରେସ ହିଁ ଅଛି। ଏବେ ତାଙ୍କୁ ଆମେ ଟ୍ରେସ୍ କରିପାରୁନଥିବାରୁ, ଏଭଳି ସ୍ଥିତିରେ ତାଙ୍କ କେସ୍ ଲଢିବାକୁ ଚାହୁଁନି ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟ ମଧ୍ୟ ମାଲ୍ୟାଙ୍କ ଓକିଲଙ୍କ ଏହି ଅପିଲକୁ ସ୍ୱୀକାର କରିନେଇଛନ୍ତି । ତେବେ ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ମାସରେ ହେବାକୁ ଥିବାବେଳେ, ମାଲ୍ୟାଙ୍କ ଅଡୁଆ ବଢିପାରେ ବୋଲି ଜଣାପଡୁଛି । ଚଳିତ ବର୍ଷ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଏକ ମାମଲାରୁ ଚାରି ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲା । କୋର୍ଟର ଆଦେଶ ନମାନିବା କାରଣରୁ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଥିଲା ।