ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ପରେ ଏବେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି ପଦ୍ମପୁର ଉପନିର୍ବାଚନ ଉପରେ । ଧାମନଗରରେ ବିଜେପି ପାଇଁ ଅନୁକମ୍ପା ଭୋଟ କାମ ଦେଇଥିବାବେଳେ ପଦ୍ମପୁରରେ କଣ ହେବ ? ବିଜେଡି ଅନୁକମ୍ପା କାର୍ଡ ଖେଳି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ବରିହାଙ୍କୁ ପ୍ରାର୍ଥୀ କରିବ କି ନାହିଁ ସେନେଇ ଦଳ କୌଣସି ଘୋଷଣା କରିନି ।
ସେପଟେ କିନ୍ତୁ ଦିବଙ୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ବିଜେଡି ଟିକେଟ ପାଇବା ନେଇ ଆଶାବାଦୀ ଅଛନ୍ତି । ଏନେଇ ସେ ପ୍ରତିକ୍ରିୟା ରଖି ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛି । ଆଶା ଅଛି, ମୁଖ୍ୟମନ୍ତ୍ରୀ ମୋତେ ଆଶୀର୍ବାଦ କରିବେ । ସେ ଆହୁରି କହିଛନ୍ତି, ପଦ୍ମପୁରକୁ ଜିଲ୍ଲା ଦାବି, ଚାଷୀ ସମସ୍ୟା, ପାଇକମାଲକୁ ଏଏନସି ଆଦି ଅନେକ ଦାବି କହିଛି । ମୁଖ୍ୟମନ୍ତ୍ରୀ ଚାହିଁଲେ ସବୁ ସ୍ୱପ୍ନ ପୂରଣ ହୋଇ ପାରିବ । ବିଜେଡି ଟିକେଟ୍ ନେଇ ମୁଁ ଆଶାବାଦୀ ରହିଛି । ଦଳ ଯାହା ନିଷ୍ପତ୍ତି ନେବ ମାନିବି । ଦଳ ବିରୋଧରେ ଯିବିନି କି ଦଳ ବିରୋଧୀ ହେବି ନାହିଁ ବୋଲି ତିଲୋତ୍ତମା କହିଛନ୍ତି ।
ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନର ଶେଷ ତାରିଖ ୧୭ ନଭେମ୍ବର ଥିବାବେଳେ ୨୧ ତାରିଖ ସୁଦ୍ଧା ପ୍ରାର୍ଥିତ୍ୱ ପ୍ରତ୍ୟାହାର କରାଯାଇ ପାରିବ । ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ପରେ ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହେବ ।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା । ୨ ଥର ଜନତା ଦଳ ଟିକେଟରେ ଶ୍ରୀ ବରିହା ୧୯୯୦ ଓ ୨୦୦୦ ମସିହାରେ ବିଧାୟକ ହୋଇଥିଲେ । ୨୦୦୪ ଓ ୨୦୦୯ରେ ବିଜେଡିରୁ ବିଧାୟକ ହେବା ସହ ମନ୍ତ୍ରୀ ହୋଇଥିଲେ । ୨୦୧୯ରେ ପଞ୍ଚମ ଥର ପାଇଁ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ।