ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୌର ଉପାଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ପୌର ଅଧ୍ୟକ୍ଷା। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକାରେ। ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା ରୁମ୍‌ ଇଣ୍ଟରିଅର୍‌ କାମର ସଠିକ୍‌ ହିସାବ ଦେଇନପାରିବାରୁ ପୌରଧ୍ୟକ୍ଷା ଗୁଲମକୀ ଦଲାୱାଜି ହାବିବ ଏପରି କରିଥିବା ଜଣାପଡ଼ିଛି। ଏଥିପାଇଁ ସାରାଦିନ ପୌର ଉପାଧ୍ୟକ୍ଷା ହଲ୍‌ରେ ବସିଥିବା ଦେଖିବାକୁ ମିଳିଛି। ସେପଟେ ରୁମ୍‌ ଇଣ୍ଟରିଅର୍‌ କାମର ସଠିକ୍‌ ହିସାବ ନଦେଲେ ତାଲା ଖୋଲିବେ ନାହିଁ ବୋଲି ସିଧା ସିଧା କହିଛନ୍ତି ଅଧ୍ୟକ୍ଷା।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ପୌର ଉପାଧ୍ୟକ୍ଷା ଗୁରୁବାର କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ତାଙ୍କ କାର୍ଯ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି କାରଣ ବୁଝିବାରୁ ପୌରାଧ୍ୟକ୍ଷା ତାଲା ପକାଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ଦାୟିତ୍ୱରେ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ କୌଣସି ଉତ୍ତର ଦେଇପାରି ନଥିଲେ। ଦିନ ସାରା ହଲରେ ଅପେକ୍ଷା କରିଥିଲେ ଉପାଧ୍ୟକ୍ଷା। ପରେ ପୌରାଧ୍ୟକ୍ଷା ବିଭିନ୍ନ କାର୍ଯ୍ୟକ୍ରମରୁ ଫେରିବା ପରେ ଉପାଧକ୍ଷାଙ୍କ କାର୍ଯ୍ୟାଳୟ ତାଲା ପଡ଼ିବା ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉପାଧକ୍ଷାଙ୍କୁ ତାଙ୍କ କାର୍ଯ୍ୟାଳୟ ପାଇଁ ରୁମ ଦିଆଯାଇଥିଲା। କିନ୍ତୁ ଏହି ରୁମର ନବୀକରଣ ସହ ୫ ରୁ ୮ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇ ଇଣ୍ଟେରିଅର କାମ ହୋଇଛି। ତେବେ ଖର୍ଚ୍ଚ ଟଙ୍କା କେଉଁ ଫଣ୍ଡରୁ ଆସିଛି ସେନେଇ ପୌର ଉପାଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ସଠିକ ଉତ୍ତର ଦେଇପାରୁ ନାହାନ୍ତି। ଏନେଇ ପୌରାଧ୍ୟକ୍ଷା ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ତେଣୁ ବାଧ୍ୟ ହୋଇ ଅଧ୍ୟକ୍ଷା ୫ ଦିନ ହେଲା କାର୍ଯ୍ୟାଳୟରେ ତାଲା ପକାଇଥିବା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, କାମର ସଠିକ ହିସାବ ନମିଳିବା ପର୍ଯ୍ୟନ୍ତ କାର୍ଯ୍ୟାଳୟର ତାଲା ଖୋଲାଯିବ ନାହିଁ। ଅନ୍ୟପଟେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ କହିଛନ୍ତି ସେ ଛୁଟିରେ ଥିଲେ, ତେଣୁ ଏସବୁ ବିଷୟରେ ସେ କିଛି ଜାଣି ନାହାନ୍ତି। କିନ୍ତୁ ଉପାଧକ୍ଷା ଆଞ୍ଜୁବାଳା ଜେନା ରୁମ ଇଣ୍ଟେରିଅର କାମ ବିଷୟରେ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ ମଧ୍ୟ ତାଙ୍କୁ ହଇରାଣ କରାଯାଉଥିବା କହିଛନ୍ତି।