ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଖୁବଶୀଘ୍ର ନିର୍ବାଚନୀ ପ୍ରଚାର ମଇଦାନ କୁ ଓହ୍ଲାଇବା ପାଇଁ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହାରି ମଧ୍ୟରେ ବିଜେପି ଦଳ କାହାକୁ ପ୍ରଚାର ମଇଦାନକୁ ଓହ୍ଲାଇବ ସେନେଇ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କରିଛି ।

ଷ୍ଟାର କ୍ୟାମ୍ପେନର ତାଲିକାର ସବୁଠାରୁ ଆଗରେ ରହିଛନ୍ତି ଗୁଜୁରାଟ ମାଟିର ପୁଅ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଲିଷ୍ଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସ୍ମୃତି ଇରାନି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏବଂ ପୁରୁଷୋତ୍ତମ ରୂପାଲଙ୍କ ନାମ ରହିଛି ।

ସେହିପରି ବର୍ତ୍ତମାନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ଭୁପେନ୍ଦ୍ର ପଟେଲ, ରାଜ୍ୟ ବିଜେପି ସଭାପତି ସିଆର ପାଟିଲ ଏଂବ ରାଜ୍ୟର ଗୃହ ବିଭାଗ ମନ୍ତ୍ରୀ ଷ୍ଟାର କ୍ୟାମ୍ପେନର ଲିଷ୍ଟରେ ରହିଛନ୍ତି । ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ମଧ୍ୟ ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତା ବିଶ୍ୱ ଶର୍ମା, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଗୁଜୁରାଟ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ପୂର୍ବତନ ଡେପୁଟି ସିଏମ୍ ନିତିନ ପଟେଲ ସାଧାରଣ ନିର୍ବାଚନରେ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ମଧ୍ୟ ଉଭୟଙ୍କୁ ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ପ୍ରକାଶ ଥାଉ କି, ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ଭୋଟିଂ ହେବ । ସେହିପରି ୫ ତାରିଖରେ ବାକି ୯୩ଟି
ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।