ପଦ୍ମପୁର ଉପନିର୍ବାଚନ: ବୁଧବାର ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନକୁ ନେଇ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଡିସେମ୍ବର ୫ରେ ଅନୁଷ୍ଠିତ ହେବ ନିର୍ବାଚନ । ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆଜିଠୁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି।

ଇତି ମଧ୍ୟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବୁଧବାର ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି।

ତେବେ ନଭେମ୍ବର ୧୭ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ୧୮ରେ ଯାଞ୍ଚ ଏବଂ ୨୧ରେ ପ୍ରତ୍ୟାହାର କରାଯିବ।

ସୂଚନାଯୋଗ୍ୟ, ପୁଣି ମହିଳା କାର୍ଡ ଖେଳିଛି ବିଜେଡ଼ି । ପଦ୍ମପୁର ଉପ-ନିର୍ବାଚନରେ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହେବା ପରେ ବର୍ଷା ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ଭରସା ଓ ବିଶ୍ୱାସ କରି ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିଭଳି ଟିକେଟ ରେସରେ ସେ ନଥିଲେ, କିନ୍ତୁ ବାପା କିଛି ଭଲ କାମ କରିଥିବାରୁ ପରିବାରରୁ ମୋତେ ଚୟନ କରିଛନ୍ତି ବୋଲି କହିଛନ୍ତି ବର୍ଷାରାଣୀ ।

ବିଜେଡି ଟିକେଟ ହାତେଇଥିବା ବର୍ଷା ହେଉଛନ୍ତି ବିଜେପି ନେତା ରମାରଞ୍ଜନ ବଳୀୟାରସିଂଙ୍କ ବୋହୂ । ତେଣୁ ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ଉଭୟ ପରିବାର ଭିତରେ ଆଲୋଚନା ହୋଇଥିବା କଥା କହିଛନ୍ତି ବର୍ଷାରାଣୀ । କିନ୍ତୁ ଏଥିପାଇଁ କେହି ମୋତେ ବାଧ୍ୟ କରିନାହାନ୍ତି । ଉଭୟ ପରିବାରର ଆଶୀର୍ବାଦ ମୋ ସହ ରହିଛି । ମୋ ନିଷ୍ପତ୍ତିରେ ଉଭୟ ପରିବାର ସହମତି ଜଣାଇଛନ୍ତି ।

ଏହାପୂର୍ବରୁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ମୈଦାନକୁ ଓହ୍ଲାଇଛି ।

Related Posts