ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଜିନ-ଜିଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଭୟଭୀତ ହୋଇପଡ଼ିଥିବା କଟାକ୍ଷ କରି କଂଗ୍ରେସ କହିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏକ ନୈତିକ ବାଧ୍ୟବାଧକତା ବୋଲି ଦଳ ପକ୍ଷରୁ କୁହାଯାଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟା ଯୋଗୁଁ ପ୍ରାୟ ୧୪ କୋଟି ଭାରତୀୟ ଭୋଟ୍ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ କଂଗ୍ରେସ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦାବି କରିଛି। କଂଗ୍ରେସର ଜେନେରାଲ ସେକ୍ରେଟାରୀ ଜୟରାମ ରମେଶ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀକୁ ଏକ ଦୁର୍ଗରେ ପରିଣତ କରାଯାଇଛି ଏବଂ ସବୁଆଡ଼େ ସଶସ୍ତ୍ର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ସମ୍ବିଧାନର ଧାରା ୩୨୬ ଦ୍ୱାରା ପ୍ରଦତ୍ତ ଭୋଟ୍ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ପ୍ରତିବାଦରେ ଯୁବପୀଢ଼ୀଙ୍କ ଏହି ଆନ୍ଦୋଳନକୁ ଶାସକ ଦଳ ଭୟ କରୁଛି ବୋଲି ସେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ କୋକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଯନ୍ତର ମନ୍ତରଠାରେ ହେବାକୁ ଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଅନୁମତି ନଥିବାରୁ ପ୍ରାୟ ୫ଶହରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେଉଥିବା ଭୋଟ୍ ତାଲିକା ସଂଶୋଧନ ଏବଂ ଫର୍ମ-୬କୁ ନେଇ ହୋଇଥିବା ପରିବର୍ତ୍ତନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଗଣତନ୍ତ୍ରର ମୂଳଦୁଆକୁ ବଞ୍ଚାଇବା ପାଇଁ ଏସଆଇଆର୍ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ କଂଗ୍ରେସ ଦାବି ଦୋହରାଇଛି।
