ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍ସିଏସ୍ଟିଆର୍ଟିଆଇ) ପ୍ରେକ୍ଷାଳୟରେ ଜନଜାତୀୟ ଗୌରବ ଦିବସ ଉଦ୍ଘାଟିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମରେ ଭାରତର ଜନଜାତିମାନଙ୍କ ଉଲ୍ଲେଖନୀୟ ଯୋଗଦାନକୁ ସମ୍ମାନ ଜଣାଇ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତୀୟ ଗୌରବ ଦିବସ ହିସାବରେ ଭାରତ ସରକାର ଘୋଷଣା କରିଛନ୍ତି। ଜନଜାତିମାନଙ୍କର ସାଂସ୍କୃତିକ ମହତ୍ତ୍ୱର ସଂରକ୍ଷଣ ଏବଂ ଭାରତୀୟ ମୂଲ୍ୟବୋଧ ଓ ଗରିମାର ପ୍ରସାର ଦିଗରେ ଜନଜାତିମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ ନଭେମ୍ବର ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଏକ ଅଂଶସ୍ୱରୂପ ଜନଜାତୀୟ ଗୌରବ ଦିବସ ପାଳନକୁ ଚଳିତ ବର୍ଷ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଏସ୍ସିଏସ୍ଟିଆର୍ଟିଆଇ, ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସପ୍ତାହବ୍ୟାପୀ ଜନଜାତୀୟ ଗୌରବ ଦିବସ ପାଳନ ଉତ୍ସବକୁ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ଓଡ଼ିଶାର ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ ଜନଜାତି ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସପ୍ତାହବ୍ୟାପୀ ଜନଜାତି କଳାକାରମାନଙ୍କ ଦ୍ୱାରା ଜନଜାତି କଳା ଓ କଳାବସ୍ତୁର ଭବ୍ୟ ପ୍ରଦର୍ଶନ କରାଯାଉଛି। ଏସ୍ସିଏସ୍ଟିଆର୍ଟିଆଇଠାରେ ସପ୍ତାହବ୍ୟାପୀ ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ନଭେମ୍ବର ୨୧ ତାରିଖ ଦିନ ସପ୍ତାହବ୍ୟାପୀ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।
ଏହି ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରକୁ ଆଲୋକମାଳାରେ ସଜ୍ଜିତ କରାଯିବ। ସେହିଭଳି ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଆଜି ସପ୍ତାହବ୍ୟାପୀ ଜନଜାତି କଳା ଓ କଳାବସ୍ତୁର ପ୍ରଦର୍ଶନ ମଧ୍ୟ ଉଦ୍ଘାଟିତ ହୋଇଯାଇଛି। କଳା ଓ କଳାବସ୍ତୁକୁ ଭଲ ପାଉଥିବା ପରିଦର୍ଶକମାନଙ୍କୁ ଏହି ପ୍ରଦର୍ଶନକୁ ନିରେଖିବା ପାଇଁ ନିମନ୍ତ୍ରଣ କରାଯାଉଛି। ଏହି ପ୍ରଦର୍ଶନ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୧୧ ଘଟିକାରୁ ସନ୍ଧ୍ୟା ୫.୩୦ ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।
