ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ କଡା ଆଭିମୁଖ୍ୟ ଆପଣାଇଛି ଜିଲ୍ଲା ଓକିଲ ସଙ୍ଘ । ୨ ତାରିଖରୁ ପ୍ରତେକ ବୁଧବାର ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଗୁଡିକୁ ବନ୍ଦ କରାଯାଉଛି ।

ଏହିକରମରେ ଆଜି ବୁଧବାର ହୋଇଥିବାରୁ ସକାଳୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓକିଲ ମାନେ ପିକେଟିଂ କରି ବନ୍ଦ୍ କରିଥିଲେ ।ଏହାପରେ କୋର୍ଟକୁ ଆସୁଥିବା ସମସ୍ତ ବିଚାରପତିଙ୍କୁ ଅଦାଲତ ନଯିବା ପାଇଁ ଅନୁରୋଧ କରିଥିଲେ ଆନ୍ଦୋଳନରତ ଆଇନଜୀବୀ । ତଥାପି ବିଚାରପତି ମାନେ କିଛି ସମୟ ଅପେକ୍ଷା କରିଥିଲେ । ହେଲେ ଆନ୍ଦୋଳନରତ ଓକିଲ ମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବିଚାରପତି ମାନଙ୍କୁ ଅଧାରସ୍ତାରୁ ଫେରାଇ ଦେଇଥିଲେ ।

ସେପଟେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ସମ୍ବଲପୁର ଓକିଲ ସଙ୍ଘ କଡା ଭାଷାରେ ନିନ୍ଦା କରିଛନ୍ତି । ଏହି ଆନ୍ଦୋଳନକୁ ଆଜି ବିଭିନ୍ନ ସଂଗଠନ ମାନେ ମଧ୍ୟ ସମର୍ଥନ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ପ୍ରତ୍ୟେକ ବୁଧବାର କୋର୍ଟ ବର୍ଜନ କରାଯାଉଛି। ତେବେ ଏହାକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆସନ୍ତା ୧୬ ତାରିଖ ଅର୍ଥାତ୍‌ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ଲାଇସେନ୍ସ ବାତିଲ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ସମ୍ବଲପୁର ଓକିଲ ସଂଘ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ସାଧାରଣ ଲୋକଙ୍କ ଦାବି ଅଟେ । ସାଧାରଣ ଲୋକଙ୍କ ଦାବିକୁ ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହାସହିତ କୌଣସି ପରିସ୍ଥିତିରେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ଏହା ସହିତ କୌଣସି ଜଣେ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସଂଘର ସମସ୍ତ ୧୬୦୦ ଆଇନଜୀବୀ ଲାଇସେନ୍ସ ସମର୍ପଣ କରିବେ ବୋଲି ଚେତାବନୀ ଦେଇଛନ୍ତି।