ଗୁଜୁରାଟ ନିର୍ବାଚନ ପୂର୍ବରୁ ଆପ୍ ର ଜଣେ ପ୍ରାର୍ଥୀ ନିଖୋଜ, ବିଜେପି ଅପହରଣ କରିଥିବା ନେଇ ଅଭିଯୋଗ ଆଣିଲା ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଏବେ ରାଜ୍ୟରେ ରାଜନୈତିକ ଉଷ୍ମତା ଜାରି ରହିଛି। ଏଠାରେ ବିଜେପି, ଆପ ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବା ବେଳେ ସବୁ ଦଳ ଗୁଡିକ ପରସ୍ପରକୁ ସମାଲୋଚନା ଓ ଆକ୍ଷେପ କରୁଛନ୍ତି। ଏସବୁ ଭିତରେ ଆମ ଆଦମୀ ପାର୍ଟି ପକ୍ଷରୁ ବିଜେପି ଉପରେ ଏକ ବଡ଼ ଅଭିଯୋଗ ଲଗାଯାଇଛି। ଗତକାଲିଠାରୁ ଗୁଜରାଟର ଜଣେ ‘ଆପ୍‌’ ପ୍ରାର୍ଥୀ ସପରିବାର ନିଖୋଜ ହୋଇଯାଇଥିବା କଥା ଦଳ ଅଭିଯୋଗ କରିଛି। ଆଜି ଏକଥା ଘୋଷଣା କରି ‘ଆପ୍‌’ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ‘ବିଜେପି’ ‘ଆପ୍‌’ର ପ୍ରାର୍ଥୀ କଞ୍ଚନ ଜରିୱାଲାଙ୍କୁ ଅପହରଣ କରି ନେଇଛି।

ମିଳିଥିବା ସୂଚନା ଅନୁସାରେ, କଞ୍ଚନ ଜରିୱାଲା ହେଉଛନ୍ତି ସୁରତ (ପୂର୍ବ) ଆସନ ପାଇଁ ‘ଆପ୍‌’ର ପ୍ରାର୍ଥୀ। ସେ ଗତକାଲିଠାରୁ ନିଖୋଜ ଥିବା ଦଳ ଅଭିଯୋଗ କରିଛି।

ଏନେଇ ସିସୋଦିଆ କହିଛନ୍ତି ଯେ, ଗୁଜରାଟ ନିର୍ବାଚନରେ ହାରିଯିବା ଭୟ ଥିବାରୁ ‘ବିଜେପି’ ଜଣେ ‘ଆପ୍‌’ ପ୍ରାର୍ଥୀଙ୍କୁ ଅପହରଣ କରିନେଇଛି। ଗତକାଲିଠାରୁ କଞ୍ଚନ ଓ ତାଙ୍କ ପରିବାରର ପତ୍ତା ମିଳୁନାହିଁ। ସେ ପ୍ରାର୍ଥୀପତ୍ର ଯାଞ୍ଚ କରିବା ଲାଗି ଯାଇଥିଲେ। ପ୍ରାର୍ଥୀପତ୍ର ଯାଞ୍ଚ କରାଇ ଅଫିସ୍‌ରୁ ବାହାରିବା କ୍ଷଣି ‘ବିଜେପି’ର ଗୁଣ୍ଡାମ‌ାନେ ତାଙ୍କୁ ଉଠାଇ ନେଇଛନ୍ତି। ଏବେ ସେ କେଉଁଠି ଅଛନ୍ତି, ତାହା ଜଣାପଡୁନାହିଁ । ଏହା ଏକ ବିପଜ୍ଜନକ ଘଟଣା। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀଙ୍କୁ ନିର୍ବାଚନ ପୂର୍ବରୁ ଅପହରଣ କରିବା ଖାଲି ପ୍ରାର୍ଥୀ ନୁହେଁ, ଗଣତନ୍ତ୍ରର ଅପହରଣ ଅଟେ ବୋଲି ସିସୋଦିଆ କହିଛନ୍ତି।

‘ଆପ୍‌’ର କେତେକ ନେତା ମଧ୍ୟ ଏଭଳି ଅଭିଯୋଗ କରି ଟୁଇଟ୍‌ ମଧ୍ୟ କରିଛନ୍ତି। ‘ଆପ୍‌’ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି ଯେ, ସୁରତ (ପୂର୍ବ) ଆସନରୁ ଆମ ପ୍ରାର୍ଥୀ କଞ୍ଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲିଠାରୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ପ୍ରଥମେ ‘ବିଜେପି’ ତାଙ୍କ ପ୍ରାର୍ଥୀ ପତ୍ର ନାକଚ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ, ତାଙ୍କ ପ୍ରାର୍ଥୀପତ୍ର ଗ୍ରହଣ କରାଗଲା। ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଲାଗି ତାଙ୍କୁ ବାଧ୍ୟ କରାଗଲା। ଏବେ ତାଙ୍କର ପତ୍ତା ମିଳୁନାହିଁ, ତାଙ୍କୁ କ’ଣ ଅପହରଣ କରି ନିଆଯାଇଛି ? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେପଟେ ‘ଆପ୍‌’ ସାଂସଦ ରାଘବ ଚଢ଼ା ଏହି ଘଟଣାକୁ ‘ଗଣତନ୍ତ୍ରର ସଂହାର (ହତ୍ୟା)’ ବୋଲି କହିଛନ୍ତି। କିନ୍ତୁ, ଏହି ମାମଲାରେ ‘ଆପ୍‌’ର ଅଭିଯୋଗ ଉପରେ ବିଜେପି ପକ୍ଷରୁ କୌଣସି ପ୍ରତ୍ୟୁତ୍ତର ବା ପ୍ରତିକ୍ରିୟା ଦେଇନାହିଁ।

Related Posts