ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟ୍ୱିଟରର ବ୍ଲୁ ଟିକ୍ ଲାଗି ୮ ଡଲାର ସବସ୍କ୍ରିପସନ ପୁଣି ଆରମ୍ଭ ହେବ। ଟ୍ୱିଟର ନୂଆ ମାଲିକ ଏଲନ ମସ୍କ ଏହି ଘୋଷଣା କରିଛନ୍ତି। ନଭେମ୍ବର ୨୯ ତାରିଖରୁ ସବସ୍କ୍ରିପସନ ଆରମ୍ଭ ହେବାକୁ ଯାଉଥିବା ବେଳେ ଯିଏ ମାସିକ ୮ ଡଲରରେ ଟ୍ୱିଟର ସବସ୍କ୍ରିପସନ କରିବେ ତାଙ୍କ ଆକାଉଣ୍ଟର ଭେରିଫିକେସନ କରି ବ୍ଲୁ ଟିକ୍ ଦିଆଯିବ ବୋଲି ମସ୍କ କହିଛନ୍ତି। ଟ୍ୱିଟର ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଫେକ୍ ଆକାଉଣ୍ଟ ଅଭିଯୋଗ ପରେ ବ୍ଲୁ ଟିକ୍ ସବସ୍କ୍ରିପସନ ରୋକି ଦେଇଥିଲେ।
୨୭ ଅକ୍ଟୋବର ପୂର୍ବରୁ ଟ୍ୱିଟରରେ ବ୍ଲୁଟିକ୍ କେବଳ ପ୍ରଶିଦ୍ଧ ବ୍ୟକ୍ତି, ସରକାରୀ ପଦପଦବୀରେ ଅଧିଷ୍ଠିତ ଲୋକେ, ସାମ୍ବାଦିକ ଓ ସେଲିବ୍ରିଟି ମାନଙ୍କୁ ମିଳୁଥିଲା। ତେବେ ୨୭ ଅକ୍ଟୋବର ପରେ ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରଠାରୁ ଏଥିରେ ପରିବର୍ତ୍ତନ ଜାରି ଥିବା ବେଳେ କମ୍ପାନୀର ରାଜସ୍ୱ ବୃଦ୍ଧି ଓ ସମସ୍ତଙ୍କୁ ବ୍ଲୁ ଟିକ୍ ଉପଲବ୍ଧ କରିବା ଲାଗି ୮ ଡଲାର ସବସ୍କ୍ରିପସନ ଯୋଜନା ହାତକୁ ନେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏବେ ଯେ କେହି ବ୍ୟକ୍ତି ତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ପାଇପାରିବେ ଗତ ନଭେମ୍ବର ୬ ତାରିଖ ଦିନ ଏନେଇ ଟ୍ୱିଟର ଘୋଷଣା କରିଥିଲା। ମାସିକ ୮ ଡଲାରର ଶୁଳ୍କ ଦେଇ ବ୍ଲୁ ଟିକ୍ ନେଇ ହେବ ବୋଲି କୁହାଯାଇଥିଲା। ତେବେ କମ୍ପାନୀର ଘୋଷଣା ପରେ ବ୍ଲୁ ଟିକ୍ ଲାଗି ଫେକ୍ ଆକାଉଣ୍ଟ ସଂଖ୍ୟା ଅଚାନକ ବଢି ଯାଇଥିଲା। ଏଣୁ ଟ୍ୱିଟର ଅସ୍ଥାୟୀ ରୂପେ ସେବା ବନ୍ଧ ଘୋଷଣା କରିଥିଲେ। ତେବେ ବ୍ଲୁ ଭେରିଫାଏଡ ପୁଣି ୨୯ ନଭେମ୍ବରରୁ ଆରମ୍ଭ ହେବ ବୋଲି ଟ୍ୱିଟର ମଙ୍ଗଳବାର ଘୋଷଣା କରିଛନ୍ତି।
