ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ପାଇଁ ବଢିଲା ଅଡୁଆ । ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣାରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଛି। ଗତକାଲି(ବୁଧବାର) ରାତିରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଯାଜପୁର ରୋଡ ଥାନାରେ ପହଞ୍ଚି ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷା ଫାଇଲ ଫିଙ୍ଗିବା ଯୋଗୁଁ ତାଙ୍କ ଛାତିରେ ଆଘାତ ଲାଗିଛି ଓ ଏହି ଘଟଣାର ଭିଡିଓ ଭାଇରାଲ ପରେ ତାଙ୍କ ସମ୍ମାନହାନୀ ହୋଇଥିବା ନିର୍ବାହୀ ଅଧିକାରୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାର ୮ ନମ୍ବର ୱାର୍ଡରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ଏନଓସି ଦେବାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କ ଉପରକୁ ଏକ ଫାଇଲ ଫୋପାଡି ଥିଲେ l ଏହି ଘଟଣାଟି ଗତମାସରେ ଘଟିଥିବା ବେଳେ ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଘଟଣା ପଦାକୁ ଆସିବା ପରେ ଗତକାଲି ବିଳମ୍ବିତ ରାତିରେ ନିର୍ବାହୀ ଅଧିକାରୀ ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଫାଇଲ ଫୋପାଡ଼ିବା ଓ ଅଶାଳୀନ ବ୍ୟବହାର କରିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ପୁରା ଘଟଣାଟି ହେଉଛି, ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ । ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କାରାଯିବା ପରେ ପୌର ନିର୍ବାହୀ ଅଧିକାରୀ ଆଶୋକ କୁମାର ରାଉତ ଅନୁମତି ଦେବା ସହିତ ୮ ନମ୍ବର ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି । ପରେ ଉକ୍ତ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ଅଧ୍ୟକ୍ଷାଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଇଓ ଆଶୋକ କୁମାର ରାଉତଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହିତ ଉତ୍‌କ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହ ତାଙ୍କ ଉପରକୁ ଫାଇଲ ଫୋପାଡି ଥିଲେ ।