‘ମୁଁ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ, କ’ଣ ଦେଶ ଛାଡ଼ି ପଳାଉଛି’; ଇଡିରେ ହଜାର ହେବା ପୂର୍ବରୁ ହେମନ୍ତ ସୋରେନ ଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଁ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ, କ’ଣ ଦେଶ ଛାଡ଼ି ପଳାଉଛି ଯେ ମୋ ନିକଟକୁ ଏଭଳି ସମନ୍‌ ପଠାଯାଉଛି । ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ସାମ୍ନାରେ ହଜାର ହେବା ପୂର୍ବରୁ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌।

ବେଆଇନ ଖଣି ମାମଲାରେ ଜେରା ନିମନ୍ତେ ଆଜି ଇଡି ରେ ହଜାର ହେବାକୁ ତାଙ୍କୁ ସମନ୍ କରାଯାଇଥିଲା । ତେବେ ଆଜି ଇଡି କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ହେମନ୍ତ ସୋରେନ୍‌ କହିଛନ୍ତି ଯେ, ମୁଁ ଜଣେ ମୁଖ୍ୟମନ୍ତ୍ରୀ।ସାମ୍ବିଧାନିକ ପଦବୀରେ ଅଧିଷ୍ଠତ। କିନ୍ତୁ, ମୋ ପାଖକୁ ଯେଭଳି ସମନ୍‌ ଆସୁଛି ମୋର ମନେହେଉଛି ସତେ ଅବା ମୁଁ ଦେଶ ଛାଡ଼ି ପଳାଇଯିବି। ବ୍ୟବସାୟୀଙ୍କ ଛଡ଼ା କୌଣସି ରାଜନେତା ଦେଶ ଛାଡ଼ି ଚାଲିଯାଇଥିବା ଭଳି କୌଣସି ନଜିର ଥିବା ଭଳି ମନେହୁଏ ନାହିଁ ବୋଲି ସେ କହିଛନ୍ତି।

ଗୁରୁତ୍ବାରୋପ କରି ସେ ପୁଣି ମଧ୍ୟ କହିଛନ୍ତି ଯେ, ତାଙ୍କ ବିରୋଧରେ ଆଗତ ଅଭିଯୋଗ ସବୁ ଭିତ୍ତିହୀନ। ଏଡ଼େ ସହଜରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ଦେଖି ମୁଁ ତଟସ୍ଥ। ମୋତେ ଫସାଇବାକୁ ଏହା ଏକ ଷଡଯନ୍ତ୍ର ବୋଲି ହେମନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ ସମଗ୍ର ରାଜ୍ୟର ପଥର ଖାଦନଗୁଡ଼ିକରୁ ସମୁଦାୟ ରାଜସ୍ବ ଆୟ ପ୍ରାୟ ୭୫୦ କୋଟି ଟଙ୍କା ବୋଲି ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ପତ୍ର ଲେଖି ଜଣାଇଛନ୍ତି। ସେଥିରେ ଆପଣ ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରୁଛନ୍ତି କିଭଳି? ବୋଲି ହେମନ୍ତ ପ୍ରଶ୍ନ କରିଛନ୍ତି। ତେବେ ଝାଡ଼ଖଣ୍ଡରେ ଥିବା ତାଙ୍କ ନେତୃତ୍ଵାଧୀନ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାରରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଏହା କେନ୍ଦ୍ରରେ ଥିବା ବିଜେପି ସରକାରଙ୍କର ବୃହତ୍ତମ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ସେ କହିଛନ୍ତି।

Related Posts