ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପେରୁର ଜର୍ଜ ଚାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନଓ୍ବେରେ ଉଡାଣ ଭରିବା ସମୟରେ LATAM ଏୟାରଲାଇନ୍ସର ଏକ ବିମାନ ଅଗ୍ନିଶମ ଗାଡି ସହିତ ମାଡ ହୋଇଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରେ ବିମାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତେବେ ବିମାନ ଭିତରେ ଥିବା ୧୦୨ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବର(ପାଇଲଟ୍‌ ସମେତ)ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲେ।

ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ପେରୁର ଜର୍ଜ ଚାଭେଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ବଡ଼ ଦୁର୍ଘଟଣା ହୋଇଥିଲା। LATAM ଏୟାରଲାଇନ୍ସର ଏକ ବିମାନ ୧୦୨ ଯାତ୍ରୀ ଓ ଚାଳକ ଦଳର ୬ ଜଣ ସଦସ୍ୟଙ୍କୁ ନେଇ ଉଡାଣ ଆରମ୍ଭ କରିବାକୁ ରନଓ୍ବେରେ ଯାଉଥିବା ବେଳେ ଏକ ବିମାନ ଟ୍ରକ୍ ଆଗକୁ ଚାଲିଆସିଥିଲା। ମାଡ ହେବାପରେ ଟ୍ରକ୍‌ରେ ଓ ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍‌ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଇବା ଭିଡିଓ ଅନୁସାରେ, ଏହି ଦୁର୍ଘଟଣା ସେତେବେଳେ ହୋଇଥିଲା ଯେବେ ରନଓ୍ବେରେ ଜେଟ୍‌ଲାଇନର ଏକ ବାହାନ ମାଡ ହୋଇଥିଲା। ଏହି ଘଟଣା ପରେ ବିମାନ ବନ୍ଦର ପକ୍ଷରୁ ରନଓ୍ବେକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା। ଏହା ସହିତ ଘଟଣା ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।