ହାଇଦ୍ରାବାଦ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଜିତେନ୍ଦ୍ର ଗୋଗି ପାଇଁ କାମ କରୁଥିବା ଶାର୍ପ ଶୁଟର । ପୁଲିସ ପଞ୍ଝାରେ ଲାଗିଛି ଏହି କୁଖ୍ୟାତ ଶାର୍ପ ଶୁଟର । ଏଥିସହ ତା’ର ଦୁଇ ସହଯୋଗୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୭.୬୫ ଏମଏମର ଗୋଟିଏ ପିସ୍ତଲ, ୨ଟି ଦେଶୀ ବନ୍ଧୁକ ଓ ୮ଟି ଜୀବନ୍ତ କ୍ୟାଟ୍ରିଜ୍ ଜବତ କରିଛି।
ଗିରଫ ଶାର୍ପ ଶୁଟର ହେଲା ୪୧ ବର୍ଷୀୟ ରାଜେଶ ଓରଫ ସେଠୀ। ତା’ ଘର ହରିଆଣାର ସୋନିପତରେ। ପୂର୍ବରୁ ପୁଲିସ୍ ତା’କୁ ହତ୍ୟା ଉଦ୍ୟମ, ଅପରହରଣ, ଲୁଟ ଓ ଆର୍ମସ ଆକ୍ଟ ଭଳି ୨୪ଟି ମାମଲାରେ ଗିରଫ କରିଥିଲା। ଏବେ ତା’ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଲୁଟ ଭଳି ୯ଟି ମାମଲା ରହିଛି।
ଦିଲ୍ଲୀ ଏନସିଆରକୁ ଅପରାଧ ମୁକ୍ତ କରିବାକୁ ସ୍ପେଶାଲ ସେଲ ରାଜେଶ ଓ ଅଙ୍କିତ ନାମକ ଆଉ ଜଣେ ଗ୍ୟାଙ୍ଗଷ୍ଟରର ଠିକଣା ଚିହ୍ନଟ କରିଥିଲା। ଦୀର୍ଘ ୩ ମାସ ହେଲାଣି ଏହି ମିଶନରେ ସ୍ପେଶାଲ ସେଲର ଟିମ ଦିଲ୍ଲୀ ଏନସିଆର, ସୋନିପତ, ପାନିପତ, ଝାଜର, ରେୱାଡି, କୁରୁକ୍ଷେତ୍ର, ରୋହତକ ଓ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ରେଡ୍ କରିବାରେ ଲାଗିଥିଲା। ଏକାଧିକ ଥର ରେଡ୍ ବେଳେ ରାଜେଶ ଓ ଅଙ୍କିତ ଅଳ୍ପକେ ଖସି ଯିବାକୁ ମଧ୍ୟ ସକ୍ଷମ ହୋଇଥିଲେ।
ତେବେ ନଭେମ୍ବର ୧୮ରେ ପୁଲିସ୍ ରାଜେଶ ସମ୍ପର୍କରେ ସୂଚନା ପାଇଥିଲା। ତା’କୁ ଧରିବା ପାଇଁ ଶାହାଣୀ ମନ୍ଦିର, ଜଟିକେ ରୋଡ, ଅଲିପୁର ଭଳି କିଛି ସ୍ଥାନରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। ୧୮ ତାରିଖ ରାତି ପ୍ରାୟ ୧୦.୨୦ରେ ରାଜେଶ ଅଲିପୁର ଆସିବା କ୍ଷଣୀ ସ୍ପେଶାଲ ସେଲ ପୁଲିସର ସଦସ୍ୟମାନେ ତାକୁ ଘେରି ଯାଇଥିଲେ।
ପ୍ରଥମେ ତା’କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ସେ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରି ୩ ରାଉଣ୍ଡ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଜଣେ ଅଧିକାରୀଙ୍କ ଦେହରେ ମାଡ଼ ହୋଇଥିଲା। କିନ୍ତୁ ସେ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିଥିବାରୁ କୌଣସି ଅଘଟଣ ଘଟି ନଥିଲା।
କିଛି ସମୟର ଗୁଳି ବିନିମୟ ପରେ ପୁଲିସ୍ ରାଜେଶକୁ ଅକ୍ଷତ ଅବସ୍ଥାରେ କାବୁ କରିଥିଲା। ତା’ ପାଖରୁ ଗୋଟିଏ ପିସ୍ତଲ, ୪ଟି ଜୀବନ୍ତ କ୍ୟାଟ୍ରିଜ ଓ ସେ ଗୁଳି କରିଥିବା ୩ ରାଉଣ୍ଡ କ୍ୟାଟ୍ରିଜ୍ ଖୋଳ ଜବତ କରିଥିଲା।
ଜେରା ବେଳେ ରାଜେଶ କହିଛି ଯେ ଜେଲରେ ଥିବା ଦୀନେଶ କାରାଲିଆ ଓ ଅନିକେଶ ମୁଣ୍ଡକା ତାକୁ ଅଲିପୁରରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ। ଏହି କାମ ପାଇଁ ରାଜେଶ ତା’ର ଦୁଇ ସହଯୋଗୀ ରାଜବୀର ଓରଫ ଗୁଡୁ ଓ ସଞ୍ଜୟକୁ ଡାକିଥିଲା। ସେମାନଙ୍କୁ ଟଙ୍କା ସହ କାନାଡା ପଠାଯିବ ବୋଲି ରାଜେଶ କହିଥିଲା।
ରାଜବୀର ଓ ସଞ୍ଜୟ ବନ୍ଧୁକ ସହ ନଭେମ୍ବର ୧୯ ରାତିରେ ଦିଲ୍ଲୀ ଆସିବାକୁ ଯୋଜନା କରିଥିଲେ। ସେମାନେ ଅଲିପୁରାରେ ଥିବା ଟାର୍ଗେଟଗୁଡ଼ିକର ଘର ଓ ଅଫିସକୁ ଭଲ ଭାବେ ବୁଲି ରାଜେଶକୁ ଖବର ଦେଇଥାଆନ୍ତେ।
କିନ୍ତୁ ରାଜେଶ ଠାରୁ ସୂଚନା ପାଇ ପୁଲିସ୍ ରାଜବୀର ଓ ସଞ୍ଜୟକୁ ଦିଲ୍ଲୀର ଜିଟି ରୋଡରୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଓ ୨ଟି ଲାଇଭ କ୍ୟାଟ୍ରିଜ୍ ମିଳିଛି। ସେମାନଙ୍କୁ ଆର୍ମସ ଆକ୍ଟ ବଳରେ ସ୍ପେଶାଲ ସେଲ ଗିରଫ କରିଛି
