ଅର୍ଚ୍ଚନା ନାଗଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ମାନିଲେ ବ୍ୟବସାୟୀ ଅମୀୟକାନ୍ତ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ମାମଲାରେ ଏବେ ଇଡିର ତଦନ୍ତ ଜାରି ରହିଛି। ଏହି ଘଟଣାରେ ସଂପୃକ୍ତି ଥିବା ଜଣ ଜଣଙ୍କୁ ଏବେ ଇଡି ସମନ୍ ଜାରି କରି ପଚରାଉଚରା ଆରମ୍ଭ କରିଛି। ଏହି କ୍ରମରେ ମଙ୍ଗଳବାର ପ୍ରଥମେ ବ୍ୟବସାୟୀ ଅମୀୟକାନ୍ତ ଦାସ ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା କରିଛି। ତେବେ ଦୀର୍ଘ ୮ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଛନ୍ତି ବ୍ୟବସାୟୀ ଅମୀୟ ଦାସ। ସେ ମଙ୍ଗଳବାର ଇଡି କାର୍ଯ୍ୟାଳୟକୁ ପୂର୍ବାହ୍ନ ୯ଟାରେ ଯାଇଥିଲେ। ଅମୀୟ ଦାସ ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଅତିବାହିତ କରିବା ସମୟରେ ଅଧିକାରୀମାନେ ଅନେକଗୁଡ଼ିଏ ପ୍ରଶ୍ନ ପଚାରିଛନ୍ତି।

ତେବେ ଦୀର୍ଘ ସମୟର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ, ଫେସବୁକ୍‌ ମାଧ୍ୟମରେ ସେ ରାଜଧାନୀ ଭୁବନେଶ୍ବରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ପରିଚିତ ହୋଇଥିଲେ । ଏହାସହିତ ଅର୍ଚ୍ଚନାଙ୍କୁ ଅମୀୟ ଦାସ ୨ଟି କିସ୍ତିରେ ୭ ଲକ୍ଷ ଟଙ୍କା ଦେଇଥିବା ନେଇ ଗଣମାଧ୍ୟମ ଆଗରେ କହିଛନ୍ତି।ଜଗବନ୍ଧୁଙ୍କ ଦେହ ଖରାପ ଥିବା ବେଳେ ତାଙ୍କୁ ଅର୍ଚ୍ଚନା ଟଙ୍କା ମାଗିଥିଲେ ବୋଲି ସେ କହିଛନ୍ତି

ତେବେ ଏ.କେ. ଆସୋସିଏସଟ୍ସର ମାଲିକ ଅମୀୟକାନ୍ତ ଦାସ ୨୦୨୧-୨୨ରେ ଅର୍ଚ୍ଚନା ନାଗଙ୍କ ସହ ଲକ୍ଷାଧିକ ଟଙ୍କାର କାରବାର ନେଇ ଇଡି ସୂଚନା ପାଇଥିଲା। ଏହାପରେ ତାଙ୍କୁ ସମନ ଜାରି କରାଯାଇଥିଲା।ସମନ ପାଇବା ପରେ ହାଜର ହୋଇଥିଲେ ଅମୀୟ।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଇଡିରେ ହାଜର ହୋଇଥିଲେ। ଗତ ଶନିବାର ତାଙ୍କୁ ହାଜର ହେବା ସମନ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ହାଜର ହୋଇନଥିଲେ। ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହୋଇଥିଲେ ଅକ୍ଷୟ ପରିଜା। ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲା ନେଇ ଅକ୍ଷୟ ପରିଜାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।

ସେହିପରି ଏହି ମାମଲାରେ ଇଡି ସମନ୍ ଜାରି କରିଥିବା ୧୫ ଜଣଙ୍କ ମଧ୍ୟରୁ ଆଗକୁ ଆହୁରି ଅନେକ ବ୍ୟକ୍ତି ହଜାର ହେବେ ବୋଲି କୁହାଯାଉଛି। ତେବେ ଏହି କ୍ରମରେ ଆଜି ଶ୍ରଦ୍ଧାଞ୍ଜଳି ଇଡି ନିକଟରେ ହାଜର ହେବାର ସମ୍ଭାବନା ରହିଛି।

Related Posts