ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେବା ପାଇଁ ମଧ୍ୟ ପ୍ରଦେଶରେ ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଜାରୀ ରହିଛି ‘ଭାରତ ଯୋଡୋ ଯାତ୍ରା’ । ବୁଧବାର ଏହି ଯାତ୍ରା ମଧ୍ୟ ପ୍ରଦେଶରେ ପ୍ରବେଶ କରିବ। ତେବେ ଏହି ଅବସରରେ ଭାଇ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେବା ପାଇଁ ଯାତ୍ରାରେ ସାମିଲ୍ ହେବେ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ।

ପ୍ରଥମ ଥର ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଜାରି ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବେ।

କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ମଙ୍ଗଳବାର ଟ୍ଵିଟ୍ କରି ପ୍ରିୟଙ୍କା ଗାନ୍ଧୀଙ୍କ ଯାତ୍ରାରେ ସାମିଲ୍ ହେବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଦେଶରେ ଚାରି ଦିନ ପାଇଁ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବେ। ଭାରତ ଯୋଡୋ ଯାତ୍ରା ପାଇଁ ଆଜି ବି ବିଶ୍ରାମର ଦିନ ରହିଛି। ଆସନ୍ତାକାଲି ବୁରହାନପୁର ନିକଟରେ ମଧ୍ୟ ପ୍ରଦେଶରେ ପ୍ରବେଶ କରିବ।

ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବିଆର ଆମ୍ବେଦକର ଏବଂ ଭାରତର ରବିନହୁଡ କୁହାଯାଉଥିବା ଟଣ୍ଟିଆ ମାମାଙ୍କ ଜନ୍ମସ୍ଥଳୀ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। କଂଗ୍ରେସ ପାର୍ଟିର ଉଜ୍ଜୈନରେ ଏକ ସାର୍ବଜନୀନ ରାଲି ଏବଂ ମେଗା ରୋଡ୍ ଶୋ ଆୟୋଜନର କାର୍ଯ୍ୟକ୍ରମ ରହିଛି।ଇନ୍ଦୋର ପହଞ୍ଚିବା ପରେ ରାହୁଲ ଗାନ୍ଧୀ ନଭେମ୍ବର ୨୯ରେ ସାମ୍ବାଦିକ ସମ୍ମିଳନୀ କରିବେ।

ସୂଚନଯୋଗ୍ୟ, ସେପ୍ଟେମ୍ବର ୭ରୁ ରାହୁଲଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ଏ ପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀ ସାମିଲ୍ ହୋଇନଥିଲେ। ସେ ନିକଟରେ ସଂପନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର ଅଭିଯାନରେ ବ୍ୟସ୍ତ ଥିଲେ। ପାର୍ଟିର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟାରେ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହୋଇ ରାହୁଲଙ୍କ ସହ ପଦ ଯାତ୍ରା କରିଥିଲେ

Related Posts