ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହରିୟାଣାର ଗୋହାନା କାଠମଣ୍ଡିରେ ରହୁଥିବା ଜଣେ ମହିଳାଙ୍କୁ ବିମାନ ଟିକେଟ ଅନଲାଇନରେ ବାତିଲ କରିବା ବେଳେ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ମହିଳାଙ୍କ ଖାତାରୁ ଦୁଇଥର ଟଙ୍କା ଉଠାଇ ପାଖାପାଖି ୧ଲକ୍ଷ ଟଙ୍କା ବାହାର କରି ନେଇଛନ୍ତି। ପୀଡିତା ମହିଳା ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ।ଏହାପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ଏହି ମାମଲାର ଯାଞ୍ଚ କରୁଥିବା ଅଧିକାରୀ ଏଏସଆଇ ଦିନେଶ କୁମାର କହିଛନ୍ତି, କାଠ ମଣ୍ଡିରେ ରହୁଥିବା ପାର୍ବତୀଙ୍କ ବିବାହ ବେଙ୍ଗାଲୁରୁରେ ହୋଇଥିଲା। କିଛିଦିନ ପୂର୍ବରୁ ସେ ନିଜ ବାପା-ମା’ଙ୍କୁ ଭେଟିବାକୁ ଗୋହାନା ଆସିଥିଲେ। ପୁଣିଥରେ ନିଜ ଶାଶୁଘରକୁ ଯିବା ପାଇଁ ମହିଳା ଦିଲ୍ଲୀରୁ ବେଙ୍ଗାଲୁରୁ ଟିକେଟ କାଟିଥିଲେ।

ଏକ ଜରୁରୀ କାମ ଆସି ଯିବାରୁ ସେ ଯିବା ତାରିଖ ବଦଳାଇ ଦେଇଥିଲେ। ତେଣୁ ସେ ଅନଲାଇନ ଜରିଆରେ ନିଜର ବିମାନ ଟିକେଟ ବାତିଲ କରିଥିଲେ। ଏହି ସମୟରେ ସେ ସାଇବର ଠକଙ୍କ ଜାଲରେ ପଡ଼ି ଯାଇଥିଲେ। ସାଇବର ଠକ ମହିଳାଙ୍କ ହ୍ବାଟସ ଆପରେ ଏକ ଲିଙ୍କ ପଠାଇଥିଲେ। ଆଉ ଏହି ଲିଙ୍କରେ ଆସିଥିବା ଓଟିପି ଦେବାକୁ କହିଥିଲେ। ଏହାପରେ ଭିନ୍ନଭିନ୍ନ ଦୁଇଟି ଟ୍ରାନଜାକସନ କରି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକଲକ୍ଷ ଟଙ୍କା ଉଠାଇନେଇଥିଲେ ସାଇବର ଠକ।

ଯେତେବେଳେ ମହିଳା ଠକେଇର ଶିକାର ହୋଇଥିବା କଥା ଜାଣିଲେ, ସେ ତୁରନ୍ତ ପୁଲିସର ଦ୍ବାରସ୍ଥ ହୋଇଥିଲେ। ମହିଳାଙ୍କ ଅଭିଯୋଗ ମୁତାବକ ପୁଲିସ ଯାଞ୍ଚ ଆରମ୍ଭ କରିବା ସହିତ ଠକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।