ବିଧାନସଭା ଶୀତ ଅଧିବେଶନ; କେନ୍ଦ୍ର ଅବହେଳା ଓ ଫସଲବୀମା ପ୍ରସଙ୍ଗରେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେଡିର ରଣନୀତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛି । ବିଧାନସଭାରେ ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ ବୋଲି ଜଣା ପଡ଼ିଛି।

ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଏହି ବୈଠକରେ ଦଳ ଚାଷୀ ଅବହେଳା ପ୍ରସଙ୍ଗ, ରେଳବାଇ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଥା ବିଧାନସଭାରେ ଉଠାଇବାକୁ ନିଷ୍ପତ୍ତି ହୋଇଛି । ଏଥିସହ ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଥିବା କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।ବାରମ୍ବାର ଏମଏସପି ବୃଦ୍ଧି ପାଇଁ ରାଜ୍ୟ ସରକାର ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ମିଳୁ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଅର୍ଚ୍ଚନା ନାଗ ମାମଲା, ଫସଲ ବୀମା ଓ ପଦ୍ମପୁର ଉପନିର୍ବାଚନରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଆଦି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି।

ଆଜି ଅଧିବେଶନର ପ୍ରଥମ ଦିନରେ ପ୍ରଥମେ ଦିବଂଗତ ବିଧାୟକ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି।

Related Posts