ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ରାତିରେ ଗାଁରେ ବୁଲୁଥିବା ୨ଜଣ ଅଜଣା ଯୁବକଙ୍କୁ ଗ୍ରାମବାସୀ ପିଲାଚୋର ଭାବି ନିର୍ଧୂମ ପିଟିଛନ୍ତି । ଫଳରେ ଗ୍ରାମବାସୀଙ୍କ ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କର ପରିଚୟ ମିଳିନାହିଁ।

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଅଜଣା ବ୍ୟକ୍ତି କିଡିଗାଁ ଗାଁରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। କାହିଁକି ରାତିରେ ଗାଁରେ ବୁଲୁଛ ବୋଲି ସେମାନଙ୍କୁ ପଚାରିଥିଲେ। ସେମାନେ ଗ୍ରାମବାସୀଙ୍କ ପ୍ରଶ୍ନର କିଛି ଉତ୍ତର ଦେଇନଥିଲେ। ଫଳରେ ଗ୍ରାମବାସୀଙ୍କର ସନ୍ଦେହ ବଢ଼ିଲା। ଗ୍ରାମବାସୀ ଉକ୍ତ ଦୁଇ ଜଣଙ୍କ ବ୍ୟାଗରୁ ଇଞ୍ଜେକସନ ସିରିଞ୍ଜ ଓ କିଛି ଆପତ୍ତି ଜନକ ଜିନିଷ ପାଇଥିଲେ। ସେମାନେ ପିଲା ଚୋର ବୋଲି ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ଏଣୁ ଗ୍ରାମବାସୀ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ।

କାଶୀନଗର ଥାନା ପୁଲିସ ପହଞ୍ଚି ସେହି ଦୁଇ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି