ଗୌହାଟୀ: ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ । ଏଠାରେ ଜଣେ ଛାତ୍ର ସିନିୟରଙ୍କ ରାଗିଂରୁ ବର୍ତ୍ତିବା ପାଇଁ ପିଏନଜିବି ହଷ୍ଟେଲ ବିଲଡିଂ ଉପରୁ ତଳକୁ ଡେଇଁ ପଡ଼ିଛନ୍ତି। ତାଙ୍କୁ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷ ଓ କିଛି ଛାତ୍ର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ପୁଲିସ ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ୩ ଛାତ୍ର ପ୍ରଣଜିତ ବାରୁହ, ନିରଞ୍ଜନ ଠାକୁର ଓ ସିମାନ୍ତ ହାଜାରିକାଙ୍କୁ ଗିରଫ କରିଛି। ସମସ୍ତଙ୍କୁ ପିଏନଜିବି ହଷ୍ଟେଲରୁ ଗିରଫ କରାଯାଇଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାହୁଲ ଛେତ୍ରୀ ଏବେ ବି ଫେରାର ଅଛନ୍ତି।
ପୁଲିସ୍ କହିଛି ଯେ ଗିରଫ ଅଭିଯୁକ୍ତମାନେ ସେମାନଙ୍କ ଜୁନିୟର ଆନନ୍ଦ ଶର୍ମାଙ୍କୁ ରାଗିଂ କରୁଥିଲେ। ଏହି ରାଗିଂ ନିର୍ଯାତନାକୁ ସହି ନ ପାରି ଆନନ୍ଦ ରବିବାର ରାତିରେ ଦୁଇ ମହଲା ବିଶିଷ୍ଟ ହଷ୍ଟେଲ ବିଲଡିଂ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଥିଲେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଗିଂରେ ସାମିଲ ଥିବା ୧୮ ଜଣ ଶିକ୍ଷାର୍ଥୀଙ୍କୁ ବହିଷ୍କାର କରିଛନ୍ତି। ସେହିପରି ନ୍ୟାୟ ପାଇଁ ଅନେକ ଶିକ୍ଷାର୍ଥୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି।
ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ପିଲାଙ୍କୁ ରାଗିଂରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି





