ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଲତବୀ ଆଲୋଚନା; ତାରା କହିଲେ, ‘ତତ୍କାଳୀନ ବାଚସ୍ପତିଙ୍କ ଚ୍ୟାମ୍ବରରେ ନାଗୁଣୀକୁ ଦେଖିଛି’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଆଲୋଚନା । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ଗୃହରେ ଆଲୋଚନା ହୋଇଛି। ଆଲୋଚନା ଆରମ୍ଭରୁ ଗୃହରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ଯେ, ସରକାର କେବେ ବି ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ଅସତ୍ୟ । ନାଗ ଦମ୍ପତି ମାମଲାରେ ଦୁଇଟି ମାମଲା ହୋଇଥିଲା । ମାମଲା ଆଧାରରେ ନାଗ ଦମ୍ପତିଙ୍କୁ ଗିରଫ କରାଯାଇଛି । ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ହୋଇଛି । ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଖଣ୍ଡଗିରି ଥାନାରେ ବି ମାମଲା ଜାରି ହୋଇଛି । ନାଗ ଦମ୍ପତିଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ: ମୋହନ ମାଝୀ

ସେପଟେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, “ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ । ଏଥିରେ ଆର୍ଥିକ ଅପରାଧ କାରବାର ହୋଇଛି । ଶାସକ ଦଳର ଅନେକ ନେତା ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ଏଥିରେ ସମ୍ପୃକ୍ତି ରହିଛି । ତାଙ୍କ ମେଲ ଆଇଡିରୁ ୬୪ଜଣଙ୍କ ଫଟୋ ମିଳିଛି । ୫ଟି ଡ଼ାଏରି, ୪ ଟି ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ଅଭିଯୁକ୍ତକୁ ଖସେଇ ଦେବାକୁ ଉଦ୍ୟମ ହେଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ ରହିବା କେତେ ଦୂର ଉଚିତ ? ଇଡ଼ିକୁ ରାଜ୍ୟ ପୋଲିସ ସହଯୋଗ କରୁଛି ତ ? ପୋଲିସ ଓ ଗୁଇନ୍ଦା ବିଭାଗ ମଉନବ୍ରତରେ ଶୋଇଥିଲା କି ? ଏହି ଘଟଣାରେ ଆରମ୍ଭରୁ ନିଜ ଅଧିକାରୀ ଓ ନେତାକୁ ସରକାର ଲୁଚେଇ ରଖିଲେ । ନାଗ ଦମ୍ପତିଙ୍କର ଟେଣ୍ଡର ଫିକ୍ସିଂ, ଠିକାଦାରୀ, ଭଳି କାମରେ ମଧ୍ୟ ତାଙ୍କର ହାତ ରଖିଥିଲା । ସରକାରୀ କଳରେ ତାଙ୍କର ଲମ୍ବା ହାତ ରହିଥିଲା । ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି ଏତଲାରେ ସମସ୍ତ ନାଁ ଉଲେଖ କରିଥିଲେ ବି କାହିଁକି ଜଗବନ୍ଧୁ ଖାଲି ପଚାରି କି ଛାଡିଦିଆଗଲା । ପ୍ରମାଣ ନଷ୍ଟ ପାଇଁ ଜଗବନ୍ଧୁକୁ ଛାଡି ଦିଆଯାଇନଥିଲା ତ ? ସରକାରୀ ଦଳର ବିଧାୟକଙ୍କ ଭାଇଙ୍କୁ ବି ଇଡ଼ି ଡାକିଛି । କିନ୍ତୁ ତାଙ୍କୁ ଘଣ୍ଟ ଘୋଡାଇବାକୁ ବି ଚାହୁଁଥିଲେ ରାଜ୍ୟ ସରକାର ।ଜଗବନ୍ଧୁ ବିଜେଡିର ସଦସ୍ୟ ଥିଲା ବୋଲି ଶୁଣାଯାଉଛି । ଯାହାଦ୍ୱାରା ଶାସନ କଳକୁ ହାତକୁ ନେଇ ସେକ୍ସ ସ୍କାଣ୍ଡଲ ଚଳାଉଥିଲେ । ଗୃହ ବିଭାଗ ରାଜନୀତିରେ ସମ୍ପୃକ୍ତ ଥିବାରୁ ଅଭିଯୁକ୍ତମାନେ ଖସି ଯାଉଛନ୍ତି ବୋଲି ସେ କହିଛନ୍ତି

ତତ୍କାଳୀନ ବାଚସ୍ପତିଙ୍କ ଚ୍ୟାମ୍ବରରେ ନାଗୁଣୀକୁ ଦେଖିଛି: ତାରା ବାହିନୀପତି

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ବୟାନ ଆଜି ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା। ତାରା କହିଛନ୍ତି ଯେ, ତତ୍କାଳୀନ ବାଚସ୍ପତିଙ୍କ ଚ୍ୟାମ୍ବରରେ ଅର୍ଚ୍ଚନାଙ୍କୁ ଦେଖିଛି । ସ୍ପିକରଙ୍କ ଚ୍ୟାମ୍ବରଙ୍କୁ ଆସିଥିଲେ ନାଗୁଣୀ, କିଏ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଥିଲେ ତାରା । ବିଜେଡି ଓ ବିଜେପିର ଫଟୋ ବାହାରିଥିଲା । ବିଜେପିର ରାଜାଙ୍କ ଫଟୋ ବି ଥିଲା । ହେଲେ କଂଗ୍ରେସର କେହି ନାହାନ୍ତି। ନାଗୁଣୀଙ୍କୁ ୬ ତାରିଖରେ ଗିରଫ କରାଗଲା ନାଗକୁ କେବେ ଗିରଫ କରାଗଲା ବୋଲି ପ୍ରଶ୍ନ କଲେ। ଯେତେ ତଥ୍ୟ ଥିଲା ସବୁ ପ୍ରମାଣ ନଷ୍ଟ କାରଗଲା। କଣ ପାଇଁ ଜଗବନ୍ଧୁଙ୍କୁ ପଚରାଉଚୁରା କରିକି ଛାଡ଼ି ଦିଆଯାଇଥିଲା ଉତ୍ତର ରଖନ୍ତୁ ଗୃହ ମନ୍ତ୍ରୀ । କେମିତି ଲକ୍ଷ ଲକ୍ଷ ଟଙ୍କା ନଗଦ କାରବାର ହେଉଥିଲା। ବିଲ୍ଡିଂ ତିଆରି ହେଉଥିଲା କିପରି ଜଣା ପଡ଼ିନଥିଲା। କେବଳ ଏମଏଲଏ ମନ୍ତ୍ରୀ ନୁହନ୍ତି । ଆଇଏଏସ ଆଇପିଏସ ଅଛନ୍ତି । ସମୁଦ୍ରରେ ବଡ ତିମି ଅଛନ୍ତି । ଏବେ ନିର୍ବାଚନ ଚାଲିଛି ତେଣୁ ପଦ୍ମପୁରରେ ଆଇଟି ରେଡ ଚାଲିଛି। ବିଜେପି ହାତରେ କେନ୍ଦ୍ରୀୟ ତଦନ୍ତାକାରୀ ସଂସ୍ଥା। ବିଜେଡ଼ି ହାତରେ କ୍ରାଇମବ୍ରାଞ୍ଚ ରହିଛି ତେଣୁ ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଜଜଙ୍କ ଦ୍ଵାରା ଏସଆଇଟି ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ସେପଟେ ମୁଲତବୀ ଆଲୋଚନା ବେଳେ ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ମନ୍ତବ୍ୟକୁ ନେଇ ଗୃହରେ ହସ୍ୟରୋଳ ଦେଖିବାକୁ ମିଳିଥିଲା। ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା ବେଳେ ସେ କହିଛନ୍ତି ଯେ, ଅର୍ଚ୍ଚନାକୁ ମୁଁ ହାତଯୋଡି ନମସ୍କାର କରୁଛି । କେତେ ଲୋକଙ୍କୁ ସେ ସମ୍ଭାଳି ଥିଲା । ଆଇପିଏସ୍, ଆଇଇଏସ୍, ଏବଂ ଅନେକ ବଡ଼ବଡିଆଙ୍କୁ ସେ ସମ୍ଭାଳି ଥିଲା ତେଣୁ ତାକୁ ଧନ୍ୟବାଦ ଦେଉଛି । ହାତ ଯୋଡି ନମସ୍କାର କରୁଛି କହି ବିଧାନସଭାରେ ନମସ୍କାର କରିଥିଲେ କେ ନାରାୟଣ ରାଓ ।

ଯିଏ ଅପରାଧ କରିଛି ସେ ଦଣ୍ଡିତ ହେବା ଉଚିତ: ଆମର ଶତପଥୀ

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉଛି ତାହା ନିଶ୍ଚିତ ଭାବେ ସେନସନାଲ କେସ । ଅପରାଧୀଙ୍କୁ ସୁରକ୍ଷା ଦେବାର ଥିଲେ ଏଠି କିପରି ବାହାର ରାଜ୍ୟର ଅପରାଧୀଙ୍କୁ ଧରା ଯାଉଛି । ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ରାଜ୍ୟରେ ପର୍ଯ୍ୟଟକ ବଢ଼ୁଛନ୍ତି ଯାହା ପ୍ରମାଣିତ କରୁଛି ଯେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ବଡ଼ ବଡ଼ିଆଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ କି ନାହିଁ ତାହା ତଦନ୍ତକାରୀ ସଂସ୍ଥା ନିଷ୍ପତ୍ତି ନେବ । ଯିଏ ଅପରାଧ କରିଛି ସେ ଦଣ୍ଡିତ ହେବା ଉଚିତ ବୋଲି ଅମର କହିଛନ୍ତି ।

Related Posts