ରାୱଲପିଣ୍ଡି : ପାକିସ୍ତାନକୁ ମିଳିଛି ନୂତନ ସେନା ମୁଖ୍ୟ । ଏନେଇ ନୂତନ ସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଜେନେରାଲ ଅସୀମ ମୁନିର । ଜେନେରାଲ କମର ଜାଭେଦ ବାଜୱା ମଙ୍ଗଳବାର ତାଙ୍କ ଉତ୍ତରାଧିକାରୀ ଅସୀମ ମୁନିରଙ୍କୁ ବ୍ୟାଟନ ଅଫ କମାଣ୍ଡ ପ୍ରଦାନ କରିଛନ୍ତି। କମାଣ୍ଡର ପରିବର୍ତ୍ତନ ସହିତ ମୁନିର ପାକିସ୍ତାନର ୧୭ତମ ସେନା ମୁଖ୍ୟ ହୋଇଛନ୍ତି।

ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟରେ ଆୟୋଜିତ ଏକ ସମାରୋହରେ ନୂତନ ସେନା ମୁଖ୍ୟଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଜେନେରାଲ ବାଜୱାଙ୍କୁ ଶେଷ ଥର ପାଇଁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ପାକିସ୍ତାନୀ ନ୍ୟୁଜ ୱେବସାଇଟ ଜିଓ ଟିଭି ଅନୁଯାୟୀ ବାଜୱା ତାଙ୍କ ଉତ୍ତରାଧିକାରୀ ଅସୀମ ମୁନିରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ମୁଁ ନିଶ୍ଚିତ ଯେ ତାଙ୍କ ନେତୃତ୍ୱରେ ସେନା ନୂତନ ଉଚ୍ଚତା ହାସଲ କରିବ ଏବଂ ତାଙ୍କ ନିଯୁକ୍ତି ଦେଶ ପାଇଁ ସକାରାତ୍ମକ ପ୍ରମାଣିତ ହେବ। ସେ କହିଛନ୍ତି ଯେ ଜେନେରାଲ ମୁନିରଙ୍କ ପରି ଜଣେ ଅଧିକାରୀଙ୍କ ହାତରେ ସେନାର ଦାୟିତ୍ୱ ଅର୍ପଣ କରି ଅବସର ନେଉଥିବାର ବେଶ୍‌ ଖୁସି। ଏହି ସମାରୋହରେ ପୂର୍ବତନ ସାମରିକ ନେତୃତ୍ୱ ମଧ୍ୟ ଉପସ୍ଥିତ ଥିଲେ।