ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୀର୍ଘ ୨୭ ବର୍ଷ ଧରି ବିଜେପିର ଗଡ଼ ଭାବେ ରହି ଆସିଥିବା ଗୁଜରାଟରେ କିଏ ଗଠନ କରିବ ସରକାର? କ’ଣ ବିଜେପି ଜାରି ରଖିଥିବା ବିଜୟ ଧାରାକୁ କାଏମ ରଖିବ ନା ବିରୋଧୀ ଏଥର କମବ୍ୟାକ କରିବେ ? ଏ ପ୍ରଶ୍ନର ଉତ୍ତର ଡିସେମ୍ବର ୮ରେ ମିଳିବ। କିନ୍ତୁ ଏହାପୂର୍ବରୁ ଆଜି ଗୁଜରାଟ ବିଧାନସଭାର ୧୮୨ଟି ଆସନ ମଧ୍ୟରୁ ୮୯ଟି ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଡିସେମ୍ବର ୫ରେ ଦ୍ଵିତୀୟ ପର୍ଯ୍ୟାୟରେ ବାକି ଆସନଗୁଡ଼ିକରେ ଭୋଟ ପଡିବ।
ଆଜି ରାଜ୍ୟର ୮୯ଟି ଆସନ ପାଇଁ ୧୪,୩୮୨ଟି ପୁଲିଂ ଷ୍ଟେସନର ବ୍ୟବସ୍ଥା ହୋଇଛି। ସହରାଞ୍ଚଳରେ ୩,୩୧୧ ଓ ଗ୍ରାମାଞ୍ଚଳରେ ୧୧,୦୭୧ ଟି କେନ୍ଦ୍ରରେ ଲୋକମାନେ ସକାଳ ୮ଟାରୁ ଭୋଟ ଦେବା ଆରମ୍ଭ କରିଛନ୍ତି। କଚ୍ଚ, ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟରର ୧୯ଟି ଜିଲ୍ଲାରେ ଥିବା ୮୯ଟି ଆସନରେ ଭୋଟ ଗ୍ରହଣ ହେଉଛି।
ଏହି ୮୯ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ କୋଟିରୁ ଅଧିକ ଭୋଟର। ଗଣତନ୍ତ୍ରର ଏହି ମହାନ ପର୍ବରେ ଲୋକମାନଙ୍କୁ ସାମିଲ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଅନୁରୋଧ କରିଛନ୍ତି। ସେହିପରି ଜାମନଗରରୁ ବିଜେପି ପ୍ରାର୍ଥୀ ହୋଇଥିବା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ମଧ୍ୟ ଲୋକଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରିବାକୁ କହିଛନ୍ତି।
ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ। ୨,୩୯,୭୬,୬୭୦ ଜଣ ଭୋଟର ଏହି ୮୯ଟି ଆସନରେ ପଞ୍ଜିକୃତ ହୋଇଛନ୍ତି। ଏମାନେ ୭୮୮ ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ମୋଟ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୨୪,୩୩,୩୬୨, ମହିଳାଙ୍କ ସଂଖ୍ୟା ୧,୧୫,୪୨,୮୧୧ ଓ ୪୯୭ ଜଣ ହେଉଛନ୍ତି କିନ୍ନର। ୪ ଲକ୍ଷରୁ ଅଧିକ ଭୋଟର ପିଡବ୍ଲ୍ୟୁଡି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ।
ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୯ଟି ଜିଲ୍ଲାର ୧୩,୦୬୫ଟି ବୁଥରେ ଲାଇଭ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ଗାନ୍ଧିନଗର ଠାରେ ରାଜ୍ୟସ୍ତରୀୟ ମନିଟରିଂ ରୁମ ସ୍ଥାପନ କରାଯାଇଛି।
ଉଭୟ ବିଜେପି ଓ କଂଗ୍ରେସ ପ୍ରଥମ ପର୍ଯ୍ୟାୟର ସମସ୍ତ ୮୯ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ୮୮ଟି ଆସନରେ ନିର୍ବାଚନ ଲଢ଼ୁଛି। ସୁରତ ଇଷ୍ଟ ବିଧାନସଭା ଆସନ ପାଇଁ ଆପ୍ର ଜଣେ ନେତା ନାମାଙ୍କନ ଦାଖଲ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ତେଣୁ ଦଳ ପ୍ରଥମ ପର୍ଯ୍ୟାୟରେ ୮୮ଟି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛି।
ବିଜେପି, କଂଗ୍ରେସ ଓ ଆପ୍ ବ୍ୟତୀତ ବିଏସପି, ସପା, ସିପିଆଇ-ଏମ ଓ ବିଟିପି ଭଳି ଅନ୍ୟ ୩୬ଟି ରାଜନୀତିକ ଦଳ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି। ବିଏସ୍ପି ୫୭ଟି ସ୍ଥାନରେ ପ୍ରାର୍ଥୀ ଦେଇଥିବା ବେଳେ ବିଟିପି ୧୪ଟି ଓ ସିପିଆଇ-ଏମ ୪ଟି ଆସନରେ ଦଳୀୟ ନେତାଙ୍କୁ ଟିକେଟ ଦେଇଛି। ପ୍ରଥମ ପର୍ଯ୍ୟାୟରେ ୩୩୯ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ରହିଛି।
ସୂଚନାଯୋଗ୍ୟ ଯେ, ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଆଜି ଭୋଟିଂ ହେଉଥିବା ୮୯ଟି ଆସନରୁ ୪୮ଟିରେ ଓ କଂଗ୍ରେସ ୪୦ଟି ଆସନରେ ବାଜିମାତ କରିଥିଲା। ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ।
