ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ୭୮୮ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ତେବେ ଆଜି ଭୋଟ ଗ୍ରହଣ ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଇନ୍ଧନ ଗ୍ୟାସର ମାତ୍ରଧିକ ଦର ବୃଦ୍ଧି ଉପରେ ଗୁରୁତ୍ବାରୋପ କରି ଆଜି କଂଗ୍ରେସ ବିଧାୟକ ପରେଶ ଧନାନି ଗୁଜରାଟ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍ ଦେବାକୁ ଯାଇଛନ୍ତି। ସେ ଏକ ସାଇକେଲ୍ରେ ଗ୍ୟାସ୍ ସିଲିଣ୍ଡର୍ ନେଇ ଭୋଟ୍ ଦେବାକୁ ଭୋଟ ଦାନ କେନ୍ଦ୍ରରେ ପହଞ୍ଚିଥିଲେ।
ମୁଦ୍ରାସ୍ଫିତି ଏବଂ ବେକାରୀ ସଂଖ୍ୟା ବୃଦ୍ଧି ପାଇଁ ‘ବିଜେପି’କୁ ଦାୟୀ କରି ଧନାନି କହିଛନ୍ତି ଯେ, ଗୁଜରାଟରେ କ୍ଷମତାର ପରିବର୍ତ୍ତନ ଘଟିବ ଏବଂ ପ୍ରାୟ ୩ ଦଶନ୍ଧି ପରେ କଂଗ୍ରେସ କ୍ଷମତାକୁ ଫେରିବ। ଆମ୍ରେଲିରେ ଭୋଟ୍ ଦେଇ ସାରିବା ପରେ କଂଗ୍ରେସ ବିଧାୟକ ଧନାନି କହିଛନ୍ତି ଯେ, ‘ବିଜେପି’ ସରକାରର ବିଫଳତା ଯୋଗୁଁ ଗୁଜରାଟରେ ମୁଦ୍ରାସ୍ଫିତି ଓ ବେକାରୀ ବୃଦ୍ଧି ପାଇଛି। ଗ୍ୟାସ୍ ଓ ଇନ୍ଧନ ମାତ୍ରାଧିକ ବୃଦ୍ଧି ପାଇବା ସହିତ ଶିକ୍ଷାର ଘରୋଇକରଣ ବି ହୋଇଛି। କ୍ଷମତାର ପରିବର୍ତ୍ତନ ଘଟିବ ଓ କଂଗ୍ରେସ ଆସିବ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ଗୁଜରାଟବାସୀଙ୍କୁ ନିବେଦନ କରି କହିଛନ୍ତି, ଗୁଜରାଟର ସବୁ ଭାଇଭଉଣୀଙ୍କୁ ନିବେଦନ କର୍ମସଂସ୍ଥାନ ପାଇଁ, ଶସ୍ତାରେ ଗ୍ୟାସ୍ ସିଲିଣ୍ଡର୍ ପାଇଁ, କୃଷକମାନଙ୍କ ଋଣଛାଡ଼ ପାଇଁ, ଗୁଜରାଟର ପ୍ରଗତିଶୀଳ ଭବିଷ୍ୟତ ପାଇଁ, ବିପୁଳ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ଓ ଗଣତନ୍ତ୍ରର ଏହି ମହୋତ୍ସବକୁ ସଫଳ କରନ୍ତୁ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଗୁଜରାଟ ବିଧାନସଭାର ବଂଶଦା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ବିଜେପି’ ପ୍ରାର୍ଥୀ ପୀୟୂଷ ପଟେଲ୍ କହିଛନ୍ତି ଯେ, ଆଜି ତାଙ୍କୁ ଅଜ୍ଞାତ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ବଂଶଦା ଅନ୍ତର୍ଗତ ଝରି ଗ୍ରାମରେ ଥିବାବେଳେ ପୀୟୂଷଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ତାଙ୍କ କାର୍ ଭଙ୍ଗାରୁଜା କରିଛନ୍ତି। ପଟେଲ୍ଙ୍କ ମୁଣ୍ଡରେ ଆଘାତ ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅନନ୍ତ ପଟେଲ୍ଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିବା କଥା ‘ବିଜେପି’ ଅଭିଯୋଗ କରିଛି।
