ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚିକିଟି ବ୍ଲକର ସୁନାପୁର ଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଇକୋ-ରିଟ୍ରିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ୍ରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାଃ ଶ୍ରବଣ ବିବେକ ଏମ, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କୀର୍ତିଭାଷନ ଭି, ବ୍ରହ୍ମପୁର ମହାନଗର କମିସନର ଜେ ସୋନାଲୀ, ବ୍ରହ୍ମପୁର ବନବିଭାଗର ଡିଏଫଓ ଅମ୍ଳାନ ନାୟକ,ଓଡିଶା ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ଡା-ଆର-କେ ପଟ୍ଟନାୟକ,ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ଚିକିଟି ତହସିଲଦାର ବିଶ୍ଵରଞ୍ଜନ କହଁର,ଜିଲ୍ଲା ସୂଚନା ପ୍ରସାରଣ ଅଧିକାରୀ,ସହ ଅଧିକାରିଣୀ ପ୍ରମୁଖ ଯୋଗଦେଇଥିଲେ I
ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ତରଫରୁ ୭ଟି ଜାଗାରେ ଇକୋ ରିଟ୍ରିଟ କେନ୍ଦ୍ର ମାନ ସାରା ଓଡିଶାରେ ଖୋଲା ଯାଇଥିବା ବେଳେ ସୁନାପୁର ଚିକିଟି ବ୍ଲକର ଅନ୍ୟତମ ଅଟେ I ଏହି କେନ୍ଦ୍ରଟି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବାବେଳେ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇଥିବା ଅତ୍ୟନ୍ତ ରମଣୀୟ ସ୍ଥାନ ଅଟେ I ଏଠାରେ ବିଳାସମୟ ତମ୍ବୁ ସହ ଶୀତତାପ ରେଷ୍ଟୁରାଣ୍ଟ ,ଖେଳପଡିଆ ଡାଇନିଂ ହଲ, ଆଉଟଡର ବାର, ପିଲାଙ୍କ ଖେଳିବା ନିମନ୍ତେ ସୁବିଧା ସ୍ଥାନ ରହିଛି। ଆଗାମୀ ଦିନରେ ଏଠାରେ ଅନେକ ଆଞ୍ଚଳିକ ଲୋକଙ୍କ ଜୀବନ ଜୀବିକା ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ସୁନାପୁର ବେଳାଭୂମି ର ନାମକୁ ସାରା ବିଶ୍ବରେ ପରିଚୟ ଲାଭ କରିପାରିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ବେହେରା, ସମିତି ସଭ୍ୟ ଅମୁଲ୍ୟ ବେହେରା ଙ୍କ ସମେତ ଅନେକ ଜନ ପ୍ରତିନିଧି ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ।
