ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାର ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ପର୍ଯ୍ୟଟକମାନେ ସିଧାସଳଖ ମହାବଳ ବାଘ ଦେଖିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ କିଛି ପର୍ଯ୍ୟଟକଙ୍କୁ ଏହିଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ବୁଲୁଥିବା ନେଇ ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟର ସିମିଳିପାଳ ହେଉ ଅଥବା ସାତକୋଶିଆ ଅଭୟାରଣ୍ୟରେ ମଧ୍ୟ ପୂର୍ବରୁ ଏହିଭଳି ଭାବେ ବାଘ ବୁଲୁଥିବାର ଦୃଶ୍ୟ ଦେଖାଯାଇ ନାହିଁ।

ମିଳିଥିବା ସୂଚନା ଅନୁସାରେ ଗତ ୧ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରବେଶ ପଥରେ ଏକ ମହାବାଳ ବ୍ୟାଘ୍ର ଆଗକୁ ବଢ଼ୁଥିଲା। ବାଘଟି ପୂରା ସାହସର ସହିତ ଆଗକୁ ବଢ଼ି ବଢ଼ି ଚାଲିଥିଲା। ଏହି ଦୃଶ୍ୟ ବନ ବିଭାଗର କର୍ମଚାରୀ ଏବଂ ଗାଡ଼ି ଭିତରେ ଥିବା ପର୍ଯ୍ୟଟକମାନେ ଦେଖିଥିଲେ। ନିଜ କ୍ୟାମେରାରେ ବନ ବିଭାଗର କର୍ମଚାରୀମାନେ ଫଟୋ ଉଠାଇଥିଲେ। ଏବେ ଏହି ଫୋଟୋ ଜାରି କରି ବନବିଭାଗ ଅଭୟାରଣ୍ୟରେ ମହାବଳ ବାଘ ଥିବା ସ୍ପଷ୍ଟ କରିଛି।

ତେବେ ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ବାଘ ଠାବ କରାଯାଇଛି। ୩୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଭୟାରଣ୍ୟରେ ବାଘ ରହିବା ପାଇଁ ଉପଯୋଗୀ ସ୍ଥାନ ରହିଛି। ଏହି ଅଭୟାରଣ୍ୟରେ ସମ୍ବର ସଂଖ୍ୟା ଅଧିକ ଥିଲେ ‌ମଧ୍ୟ ହରିଣ, ଜଙ୍ଗଲୀ ବାର୍‌ହା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅଭୟାରଣ୍ୟ ଭିତରେ ବୁଲିବା ସମୟରେ ସମ୍ବର ଓ ହରିଣ ଦେଖିବାକୁ ମିଳିଥାଏ।

ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଚଳପ୍ରଚଳ କରିବା ପରେ ୨୪X୭ ଘଣ୍ଟା ପାଟ୍ରୋଲିଂ କରାଯାଉଛି। ବନ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂକୁ କଡ଼ାକଡ଼ି କରିଦେଇଛନ୍ତି। ଅଭୟାରଣ୍ୟ ସଂଲଗ୍ନ ଗାଁରେ ଥିବା ଲୋକଙ୍କୁ ସତର୍କ କରାଯାଇଛି। ଅଭୟାରଣ୍ୟ ଭିତରେ ଗୋଟିଏ ବାଘ ମନିଟରିଂ ଶାଖା ମୁତୟନ ଥିଲା ବେଳେ ଅନ୍ୟ ଏକ ଟିମ୍‌ ହୀରାକୁଦ ସମ୍ବଲପୁର ଡିଭିଜନରେ ନିୟୋଜିତ ଅଛନ୍ତି। ପାଟ୍ରୋଲିଂ ଟିମ୍‌ ଦିନରାତି ମନିଟରିଂ କରୁଛନ୍ତି।

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ (ଡେବ୍ରିଗଡ଼ ଅଭୟାରଣ୍ୟ)ର ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ କହିଛନ୍ତି, ୨୦୧୮ ମସିହା ପରଠାରୁ ଡେବ୍ରିଗଡ଼ ଭିତରେ ବାଘ ନ ଥିଲେ। ଏହି ବାଘ ଡେବ୍ରିଗଡ଼ ଭିତରେ ଅଥବା ଏହାର ଆଖପାଖ ଅଞ୍ଚଳରେ ଥାଇପାରେ। ତେବେ ବାଘକୁ ସୁରକ୍ଷା ଦେବା ଓ ମନିଟରିଂ କରିବା ଏବେ ଏକ ବଡ଼ ଦାୟିତ୍ବ ପହଞ୍ଚିଛି। ଅଭୟାରଣ୍ୟରେ ୧୦୦ରୁ ଅଧିକ କ୍ୟାମେରା ଖଞ୍ଜା ଯାଇଛି। ୧୨ଟି ପାଟ୍ରୋଲିଂ ଟିମ୍‌ ମୁତୟନ ଅଛନ୍ତି। ସେମାନେ ଦିନରାତି ବାଘର ସୁରକ୍ଷା ପାଇଁ ମନିଟରିଂ କରୁଛନ୍ତି।