ଲକ୍ଷ୍ନୌ: ଉତ୍ତରପ୍ରଦେଶର ହମିରପୁର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେରେ ଘଟିଛି ଭୟଙ୍କର ଦୁର୍ଘଟଣା। ମୁହାଁମୁହିଁ
ହୋଇଛନ୍ତି ସ୍କର୍ପିଓ ଓ ଭର୍ଣ୍ଣା କାର୍। ଫଳରେ ଘଟଣାସ୍ଥଳରେ ହିଁ ଚାଲି ଯାଇଛି ୪ ଜଣଙ୍କ ଜୀବନ।

ଆଜି ସକାଳୁ ବୁନ୍ଦେଲଖଣ୍ଡ ଜାତୀୟ ରାଜପଥରେ ସ୍କର୍ପିଓ କାର୍ ଓ ଅନ୍ୟ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଭର୍ଣ୍ଣା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍ ଓଲଟି ପଡିବା ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ପୁଲିସ ସୂଚନା ମୁତାବକ, ଫତେହପୁର ଜିଲ୍ଲାର ହରିହର ଗଞ୍ଜ ବାସିନ୍ଦା ଦୀପକ ମିଶ୍ରା ନିଜ ପଡୋଶୀ ଆଶିଷ କୁମାର, ଭାଉଜ ଓ ତାଙ୍କ ମା’ ଏବଂ ପଞ୍ଚାୟତ ସଚିବଙ୍କୁ ନେଇ ସ୍କର୍ପିଓ ଗାଡି ମଧ୍ୟପ୍ରଦେଶର ପିତାମ୍ବର ମହାରାଣୀଙ୍କ ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେରେ ହଠାତ୍ ସାମ୍ନା ପଟୁ ଦ୍ରୁତ ଗତିରେ ଏକ ଭର୍ଣ୍ଣା କାର୍ ଆସି ତାଙ୍କ ସ୍କର୍ପିଓକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ଓଲିଟି ପଡିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜରି ରଖିଛି ।