ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନରେ ସଫଳତା ପରେ ବିଜେପିର ନଜର ଏବେ  ୟୁପି ଓ ପଞ୍ଜାବ ଉପରେ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷ କରି ଉତ୍ତର ପ୍ରଦେଶ ଓ ପଞ୍ଜାବ ଉପରେ ଦଳ ଅଧିକ ଧ୍ୟାନ ଦେଉଛି। ଆରଏସଏସ ନେତାମାନଙ୍କ ସହ ଆଲୋଚନା ପରେ, ବିଜେପି ନେତୃତ୍ୱ ଦୁଇରୁ ତିନି ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ କିଛି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସଂଗଠନ ଏବଂ ନିର୍ବାଚନ ରଣନୀତିର ବଡ଼ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି। ଏହି ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଭୂପେନ୍ଦ୍ର ଯାଦବ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାବଡ଼େ, ତରୁଣ ଚୁଗ୍ ଏବଂ ବରିଷ୍ଠ ରଣନୀତିକାର ସୁନୀଲ ବଂଶଲଙ୍କ ନାଁ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରୁ ଫେରିବାର କିଛି ଦିନ ମଧ୍ୟରେ, ଅର୍ଥାତ୍ ଆସନ୍ତା ସପ୍ତାହ ଭିତରେ ଏହି ନିଯୁକ୍ତି ଗୁଡ଼ିକ ଘୋଷଣା ହୋଇପାରେ। ପଞ୍ଜାବରେ ଏବେ ଆମ୍ ଆଦମୀ ପାର୍ଟିର ସରକାର ଥିବା ବେଳେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ସେଠାରେ କ୍ଷମତା ହାସଲ କରିବାକୁ ବିଜେପି ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ସେହିପରି ୨୦୨୭ରେ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଏବେଠାରୁ ଭୂମି ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ ଶିବରାଜ ସିଂହ ଚୌହାନଙ୍କ ସାଙ୍ଗଠନିକ ଅଭିଜ୍ଞତା ଓ ଜନସମ୍ପର୍କକୁ ଦେଖି ତାଙ୍କୁ ଉତ୍ତର ପ୍ରଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇପାରେ। ଏହି ନେତାମାନେ ସଂଗଠନ ସହ ନିର୍ବାଚନ ପ୍ରଚାରକୁ ମଧ୍ୟ ପରିଚାଳନା କରିବେ, ଯାହା ଦଳକୁ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।