ଅଣ୍ଡର ୧୯ ମହିଳା ବିଶ୍ୱକପ୍; ଭାରତୀୟ ଦଳର ନେତୃତ୍ୱ ନେବେ ଶେଫାଳି ବର୍ମା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ସିନିୟର ମହିଳା ଦଳରେ ସାମିଲ ହୋଇ ଏକାଧିକ ମ୍ୟାଚ୍‌ ଖେଳି ସାରିଥିବା ଶେଫାଳି ବର୍ମା ଏବେ ଅଣ୍ଡର ୧୯ ମହିଳା ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ। ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ଅଣ୍ଡର ୧୯ ଟି-୨୦ ମହିଳା ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପରେ ଭାରତୀୟ ଅଣ୍ଡର ୧୯ ଟିମ ଶେଫାଳି ବର୍ମାଙ୍କ ଅଧିନାୟକତ୍ୱରେ ଖେଳିବ। ଶେଫାଳି ସିନିୟର ଦଳ ସହ ଖେଳୁଥିବାରୁ ଅଣ୍ତର ୧୯ ବିଶ୍ୱକପରେ ଏହା ଭାରତୀୟ ମହିଳା ଦଳକୁ ନିଶ୍ଚିତ ଭାବେ ଫାଇଦା ଦେବ ବୋଲି ଆଶା କରାଯାଉଛି। ଶେଫାଳି ବର୍ମାଙ୍କ ବ୍ୟତୀତ ସିନିୟର ଟିମ ସହ ଖେଳିଥିବା ରିଚା ଘୋଷଙ୍କ ନାଁ ମଧ୍ୟ ଅଣ୍ଡର ୧୯ ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛି।

ସୋମବାର ଅଲଇଣ୍ଡିଆ ୱେମନ ସିଲେକସନ କମିଟି ଭାରତର ଅଣ୍ଡ ୧୯ ମହିଳା ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ସ୍କ୍ୱାଡରେ ଶେଫାଳିଙ୍କୁ କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଥିବା ବେଳେ ଶ୍ୱେତା ଶେରାୱତ ଉପ ଅଧିନାୟକ ହୋଇଛନ୍ତି। ରିଚା ଘୋଷ ଉଭୟ ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ୱିକେଟ କିପର ଦାୟିତ୍ୱରେ ରହିବେ।

ପ୍ରଥମଥର ପାଇଁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ ୧୬ଟି ଟିମ ଭାଗ ନେବେ। ଜାନୁଆରୀ ୧୪ରୁ ୨୯ ତାରିଖ ଯାଏ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଭାରତୀୟ ମହିଳା ଟିମ ଗ୍ରୁପ ଡି’ରେ ରହିଛି। ଏହି ଗ୍ରୁପରେ ଭାରତ ବ୍ୟତୀତ ଆୟୋଜକ ଦକ୍ଷିଣ ଆଫ୍ରିକା, ୟୁଏଇ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି।

ପ୍ରତି ଗ୍ରୁପରୁ ଟପ ୩ଟି ଲେଖାଏ ଦଳ ସୁପର ସିକ୍ସକୁ ଯିବେ। ସେଠାରେ ୬ଟି ଲେଖାଏ ଦଳକୁ ନେଇ ୨ଟି ଗ୍ରୁପ ତିଆରି ହେବ। ପ୍ରତି ଗ୍ରୁପରୁ ଟପ୍ ୨ଟି ଲେଖାଏ ଦଳ ସେମି ଫାଇନାଲକୁ ଯିବେ। ୨୭ ତାରିଖରେ ୨ଟି ଯାକ ସେମି ଫାଇନାଲ ଓ ୨୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

ସେହିପରି ବିଶ୍ୱକପ ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୭, ୨୯, ୩୧, ଜାନୁଆରୀ ୨ ଓ ୪ରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ: ଶେଫାଳି ବର୍ମା(ଅଧିନାୟକ), ଶ୍ୱେତା ଶେରାୱତ(ଉପ ଅଧିନାୟକ), ରିଚା ଘୋଷ(ୱିକେଟ କିପର), ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁରଲେୟ ଗାଲା, ହର୍ଷିତା ବାସୁ(ୱିକେଟ କିପର), ସୋନମ ଯାଦବ, ମନତ କଶ୍ୟପ, ଅର୍ଚ୍ଚନା ଦେବୀ, ପରଶବୀ ଚୋପ୍ରା, ତିତାସ ସାଧୁ, ଫଲକ ନାଜ, ଶବନମ ମହମ୍ମଦ, ଶିଖା, ନଜଲା ସିଏମସି ଓ ଯଶଶ୍ରୀ।

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ଶେଫାଳି ବର୍ମା(ଅଧିନାୟକ), ଶ୍ୱେତା ଶେରାୱତ(ଉପ ଅଧିନାୟକ), ରିଚା ଘୋଷ(ୱିକେଟ କିପର), ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁରଲେୟ ଗାଲା, ହର୍ଷିତା ବାସୁ(ୱିକେଟ କିପର), ସୋନମ ଯାଦବ, ମନତ କଶ୍ୟପ, ଅର୍ଚ୍ଚନା ଦେବୀ, ପରଶବୀ ଚୋପ୍ରା, ତିତାସ ସାଧୁ, ଫଲକ ନାଜ, ଶବନମ ମହମ୍ମଦ।

Related Posts