ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଫାରୁକ ଅବଦୁଲ୍ଲା ପୁନର୍ବାର ନ୍ୟାଶନଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଫାରୁକଙ୍କ ବ୍ୟତୀତ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିଲେ । କେବଳ ଫାରୁକ ଅବଦୁଲ୍ଲା ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଓ ଦଳର ସମସ୍ତ ପ୍ରତିନିଧି ତାଙ୍କୁ ସମର୍ଥନ ଜଣାଇଥିଲେ । ଏହି ଅବସରରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଫାରୁକ ଅବଦୁଲ୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁଣିଥରେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଫାରୁକ ଅବଦୁଲ୍ଲାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁଭେଚ୍ଛା ଜଣାଇଛନ୍ତି । ଓମାର କହିଛନ୍ତି ଫାରୁକ ସାହେବ ଆମ ସମସ୍ତଙ୍କୁ ଝଟକା ଦେଇଥିଲେ, ଯେତେବେଳେ ଏକ ବୈଠକରେ ସେ ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କରିଥିଲେ । ଓମାର ଅବଦୁଲ୍ଲା କହିଛନ୍ତି ଯେ, ଦଳ ତାଙ୍କୁ ଏହି ପଦବୀ ଛାଡ଼ିବାକୁ ଦେଇ ନଥାନ୍ତା, ମୁଁ ତାଙ୍କୁ ଏହା ସ୍ୱୀକାର କରିନେବାକୁ ବୁଝାଇଥିଲି ଓ ସେ ରାଜି ହୋଇ ଯାଇଥିଲେ । ଆଉ କେହି ଦଳର ଅଧ୍ୟକ୍ଷ ହେବେ ନାହିଁ ଓ ଆମେ ଆପଣଙ୍କୁ ଭରସା ଦେଉଛୁ ଆପଣ ଦ୍ୱିତୀୟଥର ନିର୍ବାଚିତ ହେବା ପରେ ଆମେ ଆପଣଙ୍କ ମିଶନକୁ ଆଗକୁ ବଢାଇବୁ ବୋଲି ଓମାର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଫାରୁକ ଅବଦୁଲ୍ଲା ହଠାତ୍ ଦଳର ଏକ ବୈଠକରେ ଅଧ୍ୟକ୍ଷ ପଦରୁ ନିଜର ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ପୁଅ ଓମାର୍ ଅବଦୁଲ୍ଲା ଦଳର ମଙ୍ଗ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ଆଜି ପୁଣି ଏକ ନାଟକୀୟ ଢଙ୍ଗରେ ଫାରୁକ ପୁନର୍ବାର ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।