ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତ୍ରୁଣମମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖେଲ ଗିରଫ। ସୋମବାର ରାଜସ୍ଥାନ ସ୍ଥିତ ଜୟପୁର ବିମାନ ବନ୍ଦରରୁ ପୁଲିସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଖାସ ସହଯୋଗୀ କୁହାଯାଉଥିବା ଟିଏମ୍‌ସି ନେତା ସାକେତ ଗୋଖେଲଙ୍କୁ ଗିରଫ କରିଛି। ତେବେ ମୋର୍ବି ଝୁଲା ପୋଲ ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସେ ମିଥ୍ୟ ଖବର ପ୍ରଚାର କରି ତାଙ୍କୁ ବଦନାମ କରିଥିବା ଅଭିଯୋଗ ହୋଇଛି। ଟିଏମ୍‌ସି ମୁଖପାତ୍ରଙ୍କ ଗିରଫ ସମ୍ପର୍କରେ ଟିଏମସିର ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରାଇନ୍ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସାକେତ ଗୋଖେଲ ସୋମବାର ରାତି ୯ଟାରେ ଦିଲ୍ଲୀରୁ ବିମାନ ଯୋଗେ ଜୟପୁରରେ ପହଞ୍ଚିଥିଲେ। ତେବେ ଏଠାରେ ପହଞ୍ଚିବା ପରେ ପରେ ଗୁଜରାଟ ପୁଲିସ ତାଙ୍କୁ ବିମାନ ବନ୍ଦରରୁ ହିଁ ଉଠାଇ ନେଇଛି। ବିଳମ୍ବିତ ରାତି ୨ଟାରେ ସାକେତ ଫୋନ୍ କରି ସେ ଗିରଫ ହୋଇଥିବା ନେଇ ନିଜ ମା’ଙ୍କୁ ଜଣାଇଥିଲେ।

ତେବେ ଗୁଜରାଟ ପୁଲିସ ତାଙ୍କୁ ଅହମ୍ମଦାବାଦ ଆଣୁଥିବା ସୂଚନା ମିଳିଛି । ଗିରଫ ପରେ ଟିଏମ୍‌ସି ନେତାଙ୍କ ମୋବାଇଲ ସମେତ ସମସ୍ତ ଜିନିଷ ପତ୍ରକୁ ପୁଲିସ ଜବତ କରିଛି। ଏନେଇ ଡେରେକ ଓବ୍ରାଇନ୍ କହିଛନ୍ତି ଯେ, ମୋର୍ବି ପୋଲ ଦୁର୍ଘଟଣାକୁ ନେଇ ଅହମ୍ମଦାବାଦ ସାଇବର ସେଲରେ ସାକେତ୍ ଗୋଖଲେଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ ହୋଇଛି। ଏସବୁ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କ ସ୍ୱରକୁ ଚପାଇ ପାରିବ ନାହିଁ । ବିଜେପି ପ୍ରତିଶୋଧ ନେବାକୁ ରାଜନୀତି କରୁଥିବା ଡେରେକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଟିଏମ୍‌ସି ମୁଖପାତ୍ର ସାକେତ ଗୋଖଲେ ୨୦୨୨ ଡିସେମ୍ବର ୧ବ ତାରିଖରେ ଦାବି କରିଥିଲେ ଯେ, ପୋଲ ଭୁଶୁଡିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋର୍ବି ଗସ୍ତକୁ ନେଇ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏନେଇ ଗୋଖଲେ ଟ୍ୱିଟ୍ କରି ଏକ ଖବର କାଗଜର କ୍ଲିପିଂ ପୋଷ୍ଟ କରିଥିଲେ। ଏହାପରେ ଗୋଖଲେଙ୍କ ବିରୋଧରେ ମମଲା ରୁଜୁ ହୋଇଥିଲା।