ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ସମୟରେ ଜଣାଶୁଣା ବଲିଉଡ ଅଭିନେତା ପରେଶ ରାୱଲଙ୍କ ବଙ୍ଗାଳୀ-ବିରୋଧୀ ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ପରେଶଙ୍କ ମନ୍ତବ୍ୟକୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଅରୁଚିକର ବୋଲି କହି ନିନ୍ଦା କରିଛି। ତେବେ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ ଏହି ମନ୍ତବ୍ୟକୁ ନେଇ ପରେଶଙ୍କ ନାଁରେ ଥାନାରେ ଏକ ଏତଲା ଦାଏର କରିଛନ୍ତି।

ସଲିମ ଅଭିଯୋଗ ଆଣିଛନ୍ତି ଯେ, ପରେଶଙ୍କ ମନ୍ତବ୍ୟ ଦଙ୍ଗା ସୃଷ୍ଟିକାରୀ ହୋଇଥିବା ବେଳେ ଏହା ବଙ୍ଗାଳୀ ଓ ଅନ୍ୟ ସଂପ୍ରଦାୟ ମଧ୍ୟରେ ସମନ୍ବୟକୁ ନଷ୍ଟ କରୁଛି। ଭାରତୀୟ ପିଙ୍ଗଳ କୋଡ ଧାରା ୧୫୩ ଅଧୀନରେ ପରେଶଙ୍କ ବିରୋଧରେ ଏହି ଏତଲା ଦାୟର ହୋଇଥିବା ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗୁଜୁରାଟ ବିଧାନସଭା ନିର୍ଵାଚନ ପାଇଁ ପ୍ରଚାର କରିବା ସମୟରେ ଏକ ରାଲି ଚାଲିଥିବା ବେଳେ ସେଥିରେ ଯୋଗ ଦେଇ ପରେଶ କହିଥିଲେ ଯେ, ‘ଗୁଜରାଟ ଜନସାଧାରଣ ମୁଦ୍ରାସ୍ଫୀତିକୁ ସହ୍ୟ କରିବେ କିନ୍ତୁ ‘ବାଂଲାଦେଶୀ ଓ ରୋହିଙ୍ଗ୍ୟା’ଙ୍କୁ ନୁହେଁ।’ ଏହି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା। ବଙ୍ଗଳା ବାହାରେ ସାରା ଦେଶରେ ବଙ୍ଗାଳୀମାନେ ବାସ କରୁଛନ୍ତି। ପରେଶଙ୍କ ଏହି ମନ୍ତବ୍ୟ ବଙ୍ଗାଳୀ-ବିରୋଧୀ ମନୋଭାବ ସୃଷ୍ଟି କରିବ ଏବଂ ଏହା ବଙ୍ଗାଳୀମାନଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ସଲିମ ଅଭିଯୋଗ କରିଛନ୍ତି।

ତେବେ ପରେଶ ଏହି ପ୍ରସଂଗରେ ନିଜର ପକ୍ଷରଖି କହିଛନ୍ତି ଯେ, ସେ ବଙ୍ଗାଳୀମାନଙ୍କ ବିରୋଧରେ କିଛି ବି କହିନାହାନ୍ତି। ତାଙ୍କ ମନ୍ତବ୍ୟ କେବଳ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ବୋଲି ସେ ସଫେଇ ଦେଇଛନ୍ତି।