ନୂଆଦିଲ୍ଲୀ : କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିକୁ ନେଇ ବସିଛି ଏକ ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକ । ନୂଆଦିଲ୍ଲୀର ଗୃହମନ୍ତ୍ରଣାଳୟରେ ଏହା ଆରମ୍ଭ ହୋଇଯାଇଛି। ବିଶେଷ ସୂତ୍ରରୁ କୁହାଯାଇଛି ଯେ, ସୀମାରେ ଟାର୍ଗେଟ୍‌ କିଲିଙ୍ଗ୍‌ ଜରିଆରେ ଆତଙ୍କବାଦ ବଢ଼ିଛି। ଏହାଛଡ଼ା ଶତୃରାଷ୍ଟ୍ରରୁ ଡ୍ରୋନ୍‌ ସହାୟତାରେ ନିଶାଦ୍ରବ୍ଯ, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଆମ ଦେଶକୁ ଲୁଚାଛପାରେ ପଠାଯାଉଛି। ଏହି ସମସ୍ୟା ବର୍ତ୍ତମାନ ସୁରକ୍ଷା କର୍ମିମାନଙ୍କର ଚିନ୍ତାର କାରଣ ପାଲଟିଛି। ଏହି ସମସ୍ତ ସମ୍ୱେଦନଶୀଳ ପ୍ରସଙ୍ଗକୁ ନେଇ ଆଜିର ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଛି । ଏହି ବୈଠକରେ ସୀମା ସୁରକ୍ଷାବଳ ଏବଂ ସେନାଧିକାରୀ ଓ ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଯୋଗ ଦେବାର ସମ୍ଭାବନା ରହିଛି।

ଆନୁଷ୍ଠାନିକ ସୂତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକ ଏଥର ହାଇବ୍ରିଡ୍‌ ମୋଡ୍‌ରେ ହେଉଥିବା ଜଣାପଡ଼ିଛି। ଏଥିରେ ଆନ୍ତରିକ ସୁରକ୍ଷା ସହିତ ଜମ୍ମୁ କାଶ୍ମୀରରେ ସାମ୍ପ୍ରତିକ ସୁରକ୍ଷା ପ୍ରସଙ୍ଗର ଆଲୋଚନ ହେବ। ଜମ୍ମୁ କାଶ୍ମୀରରେ ଏବେ ପୁଣି ଆତଙ୍କବାଦିମାନେପୁଣି ସକ୍ରିୟ ହେଉଛନ୍ତି। ଗତ କିଛି ମାସ ହେଲା ଟାର୍ଗେଟ୍‌ କିଲିଂ ବଢ଼ୁଥିବା ବେଳେ ଏହି ଘଟଣା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜମ୍ମୁ କାଶ୍ମୀରର ସୀମାନ୍ତ ଅଞ୍ଚଳଗୁଡ଼ିକରେ ସ୍ଥାନୀୟ ଆତଙ୍କବାଦିମାନେ ସକ୍ରିୟ ହେବା ସହିତ କାଶ୍ମିରି ପଣ୍ଡିତମାନେ ଜୀବନ ବିକଳରେ ସେଠାରୁ ପଳାୟନ କରୁଛନ୍ତି।

ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ଜମ୍ମୁ ସୀମାବର୍ତ୍ତି ଅଞ୍ଚଳରେ ଡ୍ରୋନ୍‌ ଅନୁପ୍ରବେଶ କିଛିଦିନ ହେଲା ବଢ଼ିଯାଇଛି। ୨୦୨୧ରେ ଏପରି ୧୦୬ଟି ମାମଲା ଥିବାବେଳେ ୨୦୨୨ ରେ ଏହି ସଂଖ୍ୟା ୨୬୬ରେ ପହଞ୍ଚିଛି। ଡ୍ରୋନ୍ ମାଧ୍ୟମରେ ଶତୃଦେଶ ବିଭିନ୍ନ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ, ଗୋଳାବାରୁଦ ଚାଲାଣ କରୁଥିବା ସୀମା ସୁରକ୍ଷା ବଳ ଅଧିକାରୀମାନେ ଦାବି କରିଛନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ବିଏସଏଫର ଅଧିକାରୀମାନେ ମଧ୍ୟ ଏଭଳି ଡ୍ରୋନ୍‌ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରି ଅନେକ ବେଆଇନ୍‌ ସାମଗ୍ରି, ଏବଂ ଡ୍ରୋନ୍‌ ଜବତ କରିଛନ୍ତି।