ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ୫ ବର୍ଷରେ ୫୬ ଜଣ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରୁ ୨୨ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର (ଚାର୍ଜସିଟ୍) ଦାଖଲ ହୋଇଛି। ଆଜି ଲୋକସଭାରେ କେନ୍ଦ୍ର କର୍ମଚାରୀ ଏବଂ ତାଲିମ ମନ୍ତ୍ରଣାଳୟ(ଡିଓପିଟି) ଏହି ସୂଚନା ଦେଇଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୭ ଠାରୁ ଅକ୍ଟୋବର ୨୦୨୨ ମଧ୍ୟରେ ସିବିଆଇ ୫୬ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଏଥିମଧ୍ୟରେ ସର୍ବାଧିକ ୧୦ ଟି ମାମଲା ଆନ୍ଧ୍ର ପ୍ରଦେଶରେ ରୁଜୁ ହୋଇଛି। ସେହିପରି ଉତ୍ତର ପ୍ରଦେଶ ଓ କେରଳ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୬ ଟି ଲେଖାଏ ମାମଲା ରୁଜୁ ହୋଇଛି। ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗ ଓ ଅରୁଣାଚଳ ପ୍ରଦେଶ ରହିଛି। ସେଠାରେ ୫ ଟି ଲେଖାଏ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ ତାମିଲନାଡ଼ୁରେ ୪ ଟି ମାମଲା ରୁଜୁ ହୋଇଛି।

ସେହିପରି ଦିଲ୍ଲୀ, ବିହାର ଓ ମଣିପୁରର ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ୩ଟି ଲେଖାଏଁ ସିବିଆଇ ମାମଲା ରୁଜୁ ହୋଇଛି। ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକରେ ୨ଟି ଲେଖାଏଁ ମାମଲା ରୁଜୁ ହୋଇଥିବାବେଳେ ହରିୟାଣା, ଛତିଶଗଡ଼, ମେଘାଳୟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଲାକ୍ଷାଦ୍ଵୀପର ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଗୋଟିଏ ଲେଖାଏଁ ସିବିଆଇ ମାମଲା ରୁଜୁ ହୋଇଛି।