କୋଲକାତା: ହିମାଚଳ ପ୍ରଦେଶରେ ବାଜି ମାତ କଲା କଂଗ୍ରେସ । ବିଜେପିକୁ ହରାଇ କଂଗ୍ରେସ ବିଜୟ ହାସଲ କରିଛି । ମୋଟ ୬୮ଟି ବିଧାନସଭା ଆସନରୁ ୪୦ଟିରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ ।
ଏଠାରେ ବିଜେପି ୨୫ଟି ଆସନରେ ବିଜୟୀ ହୋଇ ପରିବର୍ତ୍ତନ ଆଣିବାରେ ବିଫଳ ହୋଇଛି ।

ହିମାଚଳ ପ୍ରଦେଶରେ ପରାଜୟ ପରେ ବିଜେପିକୁ କଟାକ୍ଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭଲ ହେଲା ବିଜେପି ହାତରୁ ହିମାଚଳ ଖସିଗଲା ବୋଲି କହିଛନ୍ତି ମମତା ।

ଗୁରୁବାର ମମତା ବାନାର୍ଜୀ କୋଲକାତାର ସରକାରୀ ହସ୍ପିଟାଲ ଏସ୍‌ଏସକେଏମ ଯାଇଥିଲେ । ସେଠାରୁ ଫେରିବା ସମୟରେ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପିର ପରଜୟ ନେଇ ଆପଣଙ୍କ ମତ କଣ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ ମମତାଙ୍କୁ । ଏହାର ଉତ୍ତରରେ ମମତା କହିଥିଲେ ଯେ, ”ଯାହା ହେଲା ଭଲ ହେଲା , ବିଜେପି ହାତରୁ ହିମାଚଳ ଖସିଗଲା ।

ଗତ ୧୨ ତାରିଖରେ ହିମାଚଳ ପ୍ରଦେଶରେ ୬୮ ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହାପରେ ଗୁରୁବାର ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ ହାତକୁ ୪୦ଟି ଆସନ ଯାଇଥିବା ବେଳେ ବିଜେପି ମାତ୍ର ୨୫ଟି ଆସନରେ ବିଜୟୀ ହୋଇଥିଲା । ନିର୍ବାଚନରେ ଦଳ ବହୁମତ ହାସଲ କରି ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ହିମାଚଳରେ ୪୦ ଆସନ ଜିତିଥିବା କଂଗ୍ରେସ ଆଜି ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଡାକିଛି । କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସେନେଇ ଏଥିରେ ନିଷ୍ପତ୍ତି ନିଆଯିବ । ଆଜି ଅପରାହ୍ନ ୩ଟା ସମୟରେ ଶିମଲା ସ୍ଥିତ କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନରେ ଏହି ବୈଠକ ବସିବ । ପ୍ରଦେଶ କଂଗ୍ରେସ ଇନଚାର୍ଜ ରାଜୀବ ଶୁକ୍ଲାଙ୍କ ସମେତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଭୂପେଶ ବାଘେଲ ଓ ଭୂପିନ୍ଦର ହୁଡ୍ଡା ମଧ୍ୟ ଏଥିରେ ସାମିଲ ହେବେ ବୋଲି ସୂଚନା ମିଳିଛି।