ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡିସେମ୍ବର ୬ ତାରିଖରେ ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ଏକ ୪୦୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌କୁ ଖସିପଡ଼ି ୫୫ ଫୁଟ୍‌ ଗଭୀରରେ ଅଟକି ରହିଥିବା ୮ ବର୍ଷିୟ ବାଳକ ତନ୍ମୟକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ତାକୁ ଗର୍ତ୍ତରୁ ବାହାର କରିବା ପରେ ତା’ର ମୃତ୍ୟୁ ଘଟିଥିବା କଥା ଆଜି ବୈତୂଲ ଜିଲ୍ଲା ପ୍ରଶାସନ କହିଛି।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସମୟରେ ଫାର୍ମରେ ଖେଳୁଥିବା ତନ୍ମୟ ଏକ ୪୦୦ ଫୁଟ୍‌ ଗଭୀର ଖୋଲା ବୋର୍‌ୱେଲ୍‌ ଭିତରକୁ ଖସି ପଡ଼ି ୫୫ ଫୁଟ୍‌ ଅଭ୍ୟନ୍ତରରେ ଲାଖି ରହିଥିଲା। ଏହେପରେ ତନ୍ମୟକୁ ଉଦ୍ଧାର କରିବାପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଦୀର୍ଘ ୮୫ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ଗତ ପାହାନ୍ତା ପୂର୍ବରୁ ତନ୍ମୟର ଶବ ବୋର୍‌ୱେଲ୍‌ ମଧ୍ୟରୁ ଉଦ୍ଧାରକାରୀମାନେ ଉଦ୍ଧାର କରିଛନ୍ତି। ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍ ଫୋର୍ସ’ (ଏସ୍‌ଡିଆର୍‌ଏଫ୍‌), ହୋମ୍‌ ଗାର୍ଡ ଏବଂ ସ୍ଥାନୀୟ ପୁଲିସ କର୍ମଚାରୀ ଗତ ୪ ଦିନ ହେବ ତା’ର ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ମୃତ ଅବସ୍ଥାରେ ଉଦ୍ଧାର ପରେ ଆମ୍ବୁଲାନ୍‌ସ୍‌ ଯୋଗେ ତନ୍ମୟର ଶବ ବୈତୂଲ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଛି।