ତାଣ୍ଡବ ରଚିଲା ବାତ୍ୟା ‘ମାଣ୍ଡସ୍’: ତାମିଲନାଡୁର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଚେନ୍ନାଇ: ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମାଣ୍ଡସ୍’ । ଭୀଷ ରୂପ ଧାରଣକରି ସ୍ଥଳଭାଗ ଛୁଇଁବା ସହ ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାମଲାପୁରମ୍ ନିକଟରେ ‘ମାଣ୍ଡସ୍’ ସ୍ଥଳଭାଗ ଛୁଇଁଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ସାମୁଦ୍ରିକ ଝଡ଼ ‘ମାଣ୍ଡସ୍’ ତାମିଲନାଡୁର ମାମଲାପୁରମ୍ ନିକଟରେ ଲ୍ୟାଣ୍ଡଫଲ୍ କରିଛି । ସ୍ଥଳଭାଗ ଛୁଇଁବା ପରେ ଏହା ଭୀଷଣ ରୂପ ଧରି ତାଣ୍ଡବ ଆରମ୍ଭ କରିଛି । ତାମିଲନାଡ଼ୁର ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି ବାତ୍ୟା ‘ମାଣ୍ଡସ’ । ଏହାର ପ୍ରଭାବରେ ତାମିଲନାଡୁର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଘଣ୍ଟାପ୍ରତି ୫୫-୬୫ କିଲୋମିଟର ବେଗରେ ପବନ ବହୁଛି । ଆଗାମୀ ୧ଘଣ୍ଟା ଭିତରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଏଣୁ ଲୋକମାନଙ୍କୁ ଘରୁ ନବାହାରିବାକୁ ସତର୍କ କରାଇଛନ୍ତି ତମିଲନାଡୁ ସରକାର । ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ବର୍ଷା ପାଣି ଭରି ଯାଇଛି । ପବନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଛି ।

ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷା ଜାରି ରହିଛି । ସାମୁଦ୍ରିକ ଝଡ଼ ‘ମାଣ୍ଡସ୍‌’କୁ ନଜରରେ ରଖି ତାମିଲନାଡ଼ୁ ସରକାର ସଜାଗ ହୋଇଛନ୍ତି । ତାମିଲନାଡୁର ୧୦ଟି ଜିଲ୍ଲାରେ ଏନଡିଆରଏଫ ଏବଂ ରାଜ୍ୟ ସୁରକ୍ଷାବଳର ୧୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ସରକାର ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ଚେନ୍ନାଇ ଏୟାରପୋର୍ଟରୁ ୧୩ଟି ବିମାନ ଉଡାଣ ବାତିଲ କରି ଦିଆଯାଇଛି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପୁଡ୍ଡୁଚେରୀ ଓ କାରଈକାଲରେ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରଖାଯାଇଛି। ତାମିଲନାଡୁର ତୁତୁକୁଡ଼ି, ତେନି ଏବଂ ସିରୁମଲାଇରେ ବି ବର୍ଷା ଆଶଙ୍କାରେ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି ।

Related Posts