ଭୁବନେଶ୍ୱର, ୧୨/୧୨(ସତ୍ୟପାଠ ବ୍ୟୁରୋ): ଆଜି ପଦ୍ମପୁରର ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ତେବେ ବର୍ଷା ଆଜି ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କଠାରୁ ପାଇଥିବା ବିଜୟୀ ପ୍ରମାଣପତ୍ର ଦେଖାଇ ବିଧାନସଭାକୁ ପ୍ରବେଶ କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଗୃହର ସଦସ୍ୟ ଭାବେ ଶପଥ ପାଠ କରାଇ ବିଧାନସଭାକୁ ସ୍ୱାଗତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭଟଲିର ବିଧାୟକ ସୁଶାନ୍ତ ସିଂହ ଓ ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ବହୁଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ୪୨ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ । ବର୍ଷାରାଣୀ ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ସୁକନ୍ୟା ଏବଂ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ । ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ । ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବର୍ଷାଙ୍କ ସହ ନବୀନ ନିବାସ ଯାଇଥିଲେ ।

ଏଥର ଉପନିର୍ବାଚନରେ ବର୍ଷା ରେକର୍ଡ ସଂଖ୍ୟକ ୧,୨୦, ୮୦୭ ଖଣ୍ଡ ଭୋଟ୍‌ ପାଇଥିଲେ । ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଥିଲେ ୭୮,୧୨୮ ଭୋଟ୍‌ । ସେପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଥିଲା ୩୫୯୪ ଭୋଟ୍‌ । ଅନ୍ୟପଟେ ନୋଟାରେ ରେକର୍ଡ ୨୦୮୭ ଖଣ୍ଡ ଭୋଟ୍‌ ପଡ଼ିଛି । ବିଜେଡି ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ରେକର୍ଡ ୪୨,୬୭୯ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ଏହା ବିଜେଡି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି ।