ଭୁବନେଶ୍ୱର, ୧୨/୧୨(ସତ୍ୟପାଠ ବ୍ୟୁରୋ): ଗୁଜରାଟରେ ନିର୍ବାଚନ ଫଳ ବାହାରିବା ପରେ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକଙ୍କ ସମ୍ପତି ତାଲିକା ସାମ୍ନାକୁ ଆସିଛି ।ଏଡିଆର ରିପୋର୍ଟରେ କୋଟିପତି ବିଧାୟକଙ୍କ ତଥ୍ୟ ମିଳିଛି। ତେବେ ବର୍ତ୍ତମାନ ନିର୍ବାଚିତ ହୋଇଥିବା ୧୮୨ ଜଣ ବିଧାୟକଙ୍କ ମଧ୍ୟରୁ ୮୩ ପ୍ରତିଶତ ବିଧାୟକ କୋଟିପତି । ଅନ୍ୟପଟେ ୪୦ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେହିପରି ୮୬ଜଣ ବିଧାୟକ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ରୁ କମ୍ । ତେବେ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ବିଜେପି ବିଧାୟକ ।

ଏସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସର ରିପୋର୍ଟ ଅନୁଯାୟୀ, ଗୁଜରାଟରେ ୮୩ ପ୍ରତିଶତ ବିଧାୟକ କୋଟିପତି । ମୋଟ୍ ୧୮୨ ଏମଏଲଏଙ୍କ ମଧ୍ୟରୁ ୧୫୧ଜଣ କୋଟିପତି ବିଧାୟକ ରହିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ଏହି ସଂଖ୍ୟା ୧୪୧ ଥିଲା । ଡିସେମ୍ବର ୮ତାରିଖରେ ବିଧାନସଭା ନିର୍ବାଚନର ରେଜଲ୍ଟ ଆସିଥିଲା । ଏଥିରେ ୧୫୩ଟି ଆସନରେ ଜିତି ରେକର୍ଡ କରିଛି ବିଜେପି । କଂଗ୍ରେସ ୧୭ଟି ସିଟ୍ ଓ ଆପ୍ ୫ଟିରେ ବିଜୟ ଲାଭ କରିଛି ।

ଏଡିଆର ରିପୋର୍ଟ ଅନୁଯାୟୀ, ବିଜେପିର ମୋଟ୍ ୧୫୩ ବିଧାୟକଙ୍କ ମଧ୍ୟ ୧୩୨ଜଣ କୋଟି । ସେହିପରି କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୪ଜଣ ଧନୀ । ୩ଜଣ ସ୍ବାଧୀନ ବିଧାୟକ ଓ ଜଣେ ଆପ୍ ଏମଏଲଏ କୋଟିପତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୧୫୧ କୋଟିପତି ବିଧାୟକଙ୍କ ମଧ୍ୟରୁ ୭୩ଜଣଙ୍କ ପାଖରେ ୫କୋଟିରୁ ଅଧିକ ସମ୍ପତି ଥିବା ଶପଥପାଠରେ ଜଣାଇଛନ୍ତି । ଅନ୍ୟ ୭୩ଜଣଙ୍କ ପାଖରେ ୨ରୁ ୫କୋଟି ପର୍ଯ୍ୟନ୍ତ ସମ୍ପତି ରହିଛି । ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ ଚଳିତ ଥର ଦୁଇଗୁଣା ସମ୍ପତି ବଢିଛି ।

ଗୁଜରାଟରେ ସବୁଠାରୁ ଧନୀ ବିଧାୟକ ହେଲେ ବିଜେପିର ଜେଏସ୍ ପଟେଲ । ତାଙ୍କ ସମ୍ପତିର ମୂଲ୍ୟ ୬୬୧ କୋଟି ଟଙ୍କା । ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ସିଦ୍ଧପୁର ବିଧାୟକ ବଲବନ୍ତ ସିଂ ରାଜପୁତ୍ । ବଲବନ୍ତଙ୍କ ସମ୍ପତିର ମୂଲ୍ୟ ୩୭୨ କୋଟି । ୧୭୫ କୋଟି ସମ୍ପତି ସହିତ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ବିଧାୟକ ରମେଶ ତିଲାଲ ।

ରିପୋର୍ଟ ଅନୁଯାୟୀ, ୪୦ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରେ ୨୯ଜଣଙ୍କ ନାଁରେ ହତ୍ୟା, ଦୁଷ୍କର୍ମ, କୀଡ୍‌ନାପ୍ ଭଳି ଗମ୍ଭୀର ମାମଲା ଚାଲୁଛି । ଏହି ୨୯ ସଦସ୍ୟଙ୍କ ଭିତରେ ୨୦ ବିଜେପି, ୪ କଂଗ୍ରେସ, ୨ ଆପ୍, ୨ ସ୍ବାଧୀନ, ଓ ଜଣେ ସମାଜବାଦୀ ପାର୍ଟିର ବିଧାୟକ ରହିଛନ୍ତି । ମୋଟ୍ ୧୮୨ଜଣଙ୍କ ମଧ୍ୟରୁ ୧୬ ପ୍ରତିଶତ ବିଧାୟକଙ୍କ ନାଁରେ ଥାନାରେ ମାମଲା ରହିଛି ।