ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି କେରଳ ବିଧାନସଭାରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍‌। ଏହି ବିଲରେ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କୁ ହଟାଇବାର ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳଙ୍କ ବଦଳରେ ଖ୍ୟାତନାମା ଶିକ୍ଷାବିତଙ୍କୁ କୁଳାଧିପତି ପଦରେ ରହିବେ। କେରଳରେ ଥିବା ବାମ ଦଳର ସରକାର ଏହି ବିଲ୍‌କୁ ବିଧାନସଭାରେ ପାରିତ କରିଛନ୍ତି।

ତେବେ ଆଜି ଏହି ବିଲ୍‌ ଉପରେ ଆଲୋଚନା ସମୟରେ ବିରୋଧୀ ୟୁଡିଏଫ କିଛି ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନାହିଁ। ତେଣୁ ୟୁଡିଏଫ ଆଜି ଗୃହ କାର୍ଯ୍ୟକୁ ବୟକଟ କରିଥିଲା। ତେବେ ଆଲୋଚନା ପରେ ବହୁମତ ପାଇ ବିଲ୍‌ ପାସ୍‌ ହୋଇଥିବା ବାଚସ୍ପତି ଏଏନ ଶମସୀର ଘୋଷଣା କରିଛନ୍ତି। ବିଲ୍‌ ପାରିତ ହେବା ପୂର୍ବରୁ ଏହା ଉପରେ ବେଶ କିଛି ଘଣ୍ଟା ଆଲୋଚନା ହୋଇଥିଲା। ଆଲୋଚନା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ କହିଥିଲା ଯେ ଆମେ ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳର କୁଳାଧିପତି ପଦରୁ ହଟାଇବା ବ୍ୟବସ୍ଥାକୁ ବିରୋଧ କରୁନାହୁଁ। କିନ୍ତୁ କୁଳାଧିପତି ହେଉଥିବା ବ୍ୟକ୍ତି ଅବସରପ୍ରାପ୍ତ ସୁପ୍ରିମକୋର୍ଟ କିମ୍ବା କେରଳ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ହୋଇଥିବା ଦରକାର। ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ଭିନ୍ନଭିନ୍ନ କୁଳାଧିପତିଙ୍କ ନିଯୁକ୍ତି ଆବଶ୍ୟକ। ଏହାବାଦ କୁଳାଧିପତି ଚୟନ ପାଇଁ ଗଠନ ହେବାକୁ ଥିବା ପ୍ୟାନେଲରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ରହିବା ଉଚିତ ବୋଲି ବିରୋଧୀ ପ୍ରସ୍ତାବ ଦେଇଥିଲେ।

କିନ୍ତୁ ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ପି ରାଜୀବ କହିଥିଲେ ଯେ, “ଜଣେ ବିଚାରପତି ଚୟନ ପ୍ୟାନେଲରେ ରହିବା ଠିକ ନୁହେଁ। ବାଚସ୍ପତି ଭଲ ବିକଳ୍ପ।” ସରକାର ବିରୋଧୀଙ୍କ ପ୍ରସ୍ତାବ ଗ୍ରହଣ ନ କରିବାରୁ ସେମାନେ ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ବୟକଟ କରିଥିଲେ। ସରକାର ନିଜ ଇଚ୍ଛାରେ କୁଳାଧିପତି ଚୟନ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ବାମପନ୍ଥୀ କେନ୍ଦ୍ର ଭାବେ ଗଠନ କରିବାକୁ ଚାହୁଁଥିବା ବିରୋଧୀ କହିଛନ୍ତି।

ତେବେ କୁଳପତି ନିଯୁକ୍ତିକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ତିକ୍ତତା ଲାଗି ରହିଛି। ଏହି କାରଣରୁ ସରକାର ଏପରି ଏକ ବିଲ୍‌ ପାରିତ କରିଥିବା କୁହାଯାଉଛି।